‘ଆଜି ରାତିରେ କ୍ୟାବିନେଟ୍ ବସାଇ ଜିଲ୍ଲା ମାନ୍ୟତା ଦିଅନ୍ତୁ, କଲି ବିଜ୍ଞପ୍ତି ଧରି ପଦ୍ମପୁର ଆସନ୍ତୁ ମୁଖ୍ୟମନ୍ତ୍ରୀ’: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନରେ ଗତ ମଙ୍ଗଳବାର ଠାରୁ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜ ପ୍ରଚାର ସମୟରେ ପ୍ରତିଦିନ ସାଣିତ ସ୍ଵରରେ ରାଜ୍ୟ ସରକାରଙ୍କ ଉପରେ‌‌ ବର୍ଷୁଛନ୍ତି। ତେବେ ଆଜି ପ୍ରଚାର ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା କଥା ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପଦ୍ମପୁର ଝାରବନ୍ଧରେ ଜନସଭାକୁ ସମ୍ବୋଧନ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପଦ୍ମପୁରକୁ ପ୍ରଚାର କରିବା ପାଇଁ ଆସୁଛନ୍ତି ।ଆମ ଦଳ ଅପେକ୍ଷା କରିଛି, ଏକ ଦଳର ସଭାପତି ଭାବରେ ନୁହେଁ ବରଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ରାତିରେ କ୍ୟାବିନେଟ୍ ବସାଇ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର ମଞ୍ଜୁର ଦିଅନ୍ତୁ ଓ ଆସନ୍ତାକାଲି ପଦ୍ମପୁରକୁ ଜିଲ୍ଲା ଗଠନ କରିବାର ବିଜ୍ଞପ୍ତି ଚିଠା ଧରି ପଦ୍ମପୁରକୁ ଆସନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହା ସହ ଭୁବନେଶ୍ୱରରେ ଚାଲିଥିବା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ଶିକ୍ଷକମାନେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟର ସ୍କୁଲ ପିଲା ମାନଙ୍କର ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି । ସ୍ଥାୟୀ ନିଯୁକ୍ତି ନାହିଁ । ବରିଷ୍ଠ ଓ କନିଷ୍ଠ ଶିକ୍ଷକଙ୍କ ମଧ୍ୟରେ ପାତରଅନ୍ତର କରିବା ଭଳି ନୂଆ ନୀତି ନିୟମ ନିର୍ଦ୍ଧାରଣ କରାଯାଉଛି । ସ୍ଥାୟୀ ନିଯୁକ୍ତି ନହେବା ଦ୍ୱାରା ୧ଲକ୍ଷ ଶିକ୍ଷକ ମାନସିକ ଯନ୍ତ୍ରଣା ପାଉଥିବା କଥା ଧର୍ମେନ୍ଦ୍ର କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ କୁନା ପୁରୋହିତଙ୍କ ବିଜୟରେ କୌଣସି ସନ୍ଦେହ ନାହିଁ | ଧାନ, ଜଳସେଚନ, ଦାଦନ ଆଦି ଅନେକ ପ୍ରସଙ୍ଗ ଏ ଅଞ୍ଚଳରେ ଅଛି | ୨୨ ବର୍ଷ ହେଲା ନବୀନ ସରକାର ପଦ୍ମପୁର ପାଇଁ କିଛି କରିନାହାନ୍ତି | ଏହାର ଜବାବ ଦେବେ ପଦ୍ମପୁରବାସୀ | ବିଜେପୁର ନିର୍ବାଚନରେ ହାତୀ ଦେବି ଛତି ଦେବି କହିଥିଲେ | ତେବେ କଣ କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି | ଧର୍ମେନ୍ଦ୍ରଙ୍କ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ନରେନ୍ଦ୍ର ସିଂହ ତୋମାର, ବିଶ୍ୱେଶ୍ୱର ଟୁଡୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଁ ପ୍ରଚାର କରିଛନ୍ତି ।

Related Posts