ପେଗାସସ୍ ଫୋନ୍ ଟ୍ୟାପିଂ ଏମରଜେନ୍ସି ଠାରୁ ବି ଭୟଙ୍କର : ଶିବସେନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପେଗାସସ୍ ପ୍ରୋଜେକ୍ଟ ରିପୋର୍ଟ ପ୍ରକାଶ ପାଇବା ପରେ ଏବେ କାଠଗଡାରେ କେନ୍ଦ୍ର ସରକାର। ବିରୋଧୀ ଏ ନେଇ ସରକାରଙ୍କୁ ଲଗାତର ଟାର୍ଗେଟ କରୁଛନ୍ତି। ଶିବସେନାର ମୁଖପାତ୍ର ସାମାନା ମାଧ୍ୟମରେ ପେଗାସସ୍ ଦ୍ବାରା ହୋଇଥିବା ଫୋନ୍ ଟ୍ୟାପିଂକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛି। ଏହାର ଶୀର୍ଷକ ଥିଲା ” ପେଗାସସ୍ ର ପିତା କିଏ ?” ଏଥିରେ ଶିବସେନା ପକ୍ଷରୁ ଦାବି କରାଯାଇଛି ଯେ, ଏହି ଘଟଣାର ‘ଜେପିସି’ ଅର୍ଥାତ୍ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଯାଞ୍ଚ କରାଯିବା ଦରକାର କିମ୍ବା ସୁପ୍ରିମକୋର୍ଟ  ‘ସୋ ମୋଟୋ’ ଏକ ସ୍ବତନ୍ତ୍ର ଅନୁସନ୍ଧାନ କମିଟି ଦ୍ୱାରା ଯାଞ୍ଚ କରନ୍ତୁ। ସାମାନାର ସମ୍ପାଦକୀୟରେ ସଞ୍ଜୟ ରାଉତ ପେଗାସସ୍ ହ୍ୟାକିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ”  ଆମ ଗୃହମନ୍ତ୍ରୀ ଅମିତ ଶାହା କହୁଛନ୍ତି- ଦେଶ ତଥା ଗଣତନ୍ତ୍ରକୁ ବଦନାମ କରିବା ପାଇଁ ଏହା ଏକ ଆନ୍ତର୍ଜାତୀୟ ଷଡଯନ୍ତ୍ର ! ଗୃହମନ୍ତ୍ରୀଙ୍କ ଏପରି ବୟାନ ଆଶ୍ଚର୍ଯ୍ୟଜନକ। କିଏ ଦେଶକୁ ବଦନାମ କରୁଛି, ଗୃହମନ୍ତ୍ରୀ କହିପାରିବେ କି ?  ସରକାର ତୁମର, ତୁମର ଦେଶ ଏବଂ ତୁମର ଗଣତନ୍ତ୍ର । ତେବେ ଏସବୁ କରିବାକୁ କିଏ ସାହସ କଲା ? ‘

 ପଶ୍ଚିମବଙ୍ଗ ନିର୍ବାଚନରେ ଫୋନ୍ ଟ୍ୟାପିଂ ହେବାର ସମ୍ଭାବନା ବିଷୟରେ ସଞ୍ଜୟ ରାଉତ କହିଛନ୍ତି ଯେ ‘ପେଗାସସ୍’ର ଗୁଇନ୍ଦାଗିରିର ପରିସର ବହୁତ ଅଧିକ।  ଦେଶର ନାଗରିକଙ୍କ ଟଙ୍କାରେ ସେମାନଙ୍କ ଉପରେ ନଜର ରଖିବା ପାଇଁ ସେମାନଙ୍କ ଫୋନକୁ ‘ହ୍ୟାକ୍’ କରାଯାଉଛି। ଏହା କେଉଁ ପ୍ରକାର ଦେଶ ପ୍ରେମ ଏହାର ବିଚାର କରାଯିବା ଉଚିତ୍ ? ସୂଚନାଯୋଗ୍ୟ ଯେ ପେଗାସସ୍ ସ୍ପାଇୱୟାର ମାଧ୍ୟମରେ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଫୋନ୍ ଟ୍ୟାପିଂ ହୋଇଥିବା ପେଗାସେସ୍ ପ୍ରୋଜେକ୍ଟ ତାଲିକାରେ ପ୍ରକାଶ ପାଇଥିଲା। ସାମନାର ସମ୍ପାଦକୀୟରେ କୁହାଯାଇଛି ଯେ, ମମତା ବାନାର୍ଜୀଙ୍କୁ ପରାସ୍ତ କରିବାକୁ କେଉଁ ସ୍ତରର ରାଜନୀତି କରାଯାଉଛି ଦେଖନ୍ତୁ । ଚାରିଜଣ ମୁଖ୍ୟମନ୍ତ୍ରୀଙ୍କ ଫୋନ୍ ଟ୍ୟାପିଂ ହୋଇଥିଲା , ମମତା ବାନାର୍ଜୀ ସେମାନଙ୍କ ମଧ୍ୟରେ ନିଶ୍ଚୟ ରହିଥିବେ ! ରାଜନୈତିକ ବିରୋଧୀଙ୍କ ଉପରେ ବେଆଇନ ତଦାରଖ, ଗୁଇନ୍ଦା ଗିରି ସେମାନଙ୍କର ବ୍ୟକ୍ତିଗତ ଜୀବନ ଉପରେ ହମଲା ।

 ଶିବସେନା ସାମନା ଜରିଆରେ ଦାବି କରିଛି ଯେ, ‘ମହାରାଷ୍ଟ୍ରର କିଛି ଅଧିକାରୀ ଏବଂ ପୂର୍ବତନ ସରକାର ଅନେକ ବିରୋଧୀଙ୍କ କଥାକୁ ବେଆଇନ ଭାବେ ଶୁଣୁଥିଲେ ଏବଂ ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ଚାଲିଛି। କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାମକୃଷ୍ଣ ହେଗଡେଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

 ସେ ବିରୋଧୀଙ୍କ ଫୋନକୁ ‘ଟ୍ୟାପ୍’ କରିଥିବା ଅଭିଯୋଗ ହୋଇଥିଲା। ହେଗଡେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କରିଦେଇଥିଲେ, କିନ୍ତୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଲା। ଏବେ ପେଗାସସ୍ ଜାସୁସି ଏପିସୋଡ୍ ର ଦାୟିତ୍ୱ କିଏ ନେବ ? ସାମନାରେ ଆହୁରି ମଧ୍ୟ କୁହାଯାଇଛି ଯେ, ” ଅଳ୍ପ କିଛି ଲୋକ ପ୍ରତିବର୍ଷ ଜରୁରୀକାଳୀନ ପରିସ୍ଥିତି କୁ କଳା ଦିନ ଭାବେ ପାଳନ କରୁଛନ୍ତି।  ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ‘ପେଗାସସ୍’ ର ଜାସୁସି ଅଧିକ ଭୟଙ୍କର ଅଟେ। ପେଗାସସ୍ ର ପ୍ରକୃତ ପିତା ଆମ ଦେଶରେ ଅଛନ୍ତି, ତାଙ୍କୁ ଖୋଜ ।

 ସୂଚନାଯୋଗ୍ୟ ଗତ ସୋମବାର 300ରୁ ଅଧିକ ଭାରତୀୟ ନେତା, ମନ୍ତ୍ରୀ, ସାମ୍ବାଦିକ, ବିଚାରପତି ଆଦିଙ୍କ ଫୋନ ହ୍ୟାକ କରାଯ଼ାଇଛି ବୋଲି ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଝଡ ସୃଷ୍ଟି ହୋଇଥିଲା ।

Related Posts