
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟର ରାଜନୀତି ବେଶ ସରଗରମ ହୋଇ ଉଠିଛି । ସେପଟେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁରୀ ଗସ୍ତରେ କରିଥିଲେ । ହେଲେ ପୁରୀ ଯିବାବେଳେ ଅପରାଜିତା ଷଡ଼ଙ୍ଗୀଙ୍କୁ ଅଟକାଇଥିଲା ପୁଲିସ । ଏହା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ମଧ୍ୟରେ ଏହାର ଉତ୍ତର ରଖିଛନ୍ତି ବିଜେଡି ସାଂସଦ ମୁନା ଖାଁ । ମୁନା ଖାଁଙ୍କ କହିବାନୁଯାୟୀ, ପୁରୀରେ କୌଣସି ବେଆଇନ କାର୍ୟ୍ୟ ହୋଇନି, ଯାହା ହୋଇଛି ନିୟମ ଅନୁସାରେ ହୋଇଛି । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ବିକାଶ ମୂଳକ କାର୍ୟ୍ୟକ୍ରମ କରୁଛନ୍ତି ସରକାର । ବିଭିନ୍ନ ଆଳ ଦେଖାଇ ନିନ୍ଦା କଲେ କାହାକୁ ମନା କରି ହେବନି । ଘଟଣାକୁ ନେଇ ରାଜନୀତିକରଣ କରାଯାଉଛି । ଏଥିସହ ପୁରୀ ଯାଉଥିବା ସାଂସଦଙ୍କୁ ବାଟରେ କାହିଁକି ଅଟକାଗଲା ପ୍ରଶ୍ନର ଉତ୍ତରରେ, ଯଦି ପ୍ରଶାସନ କୌଣସି କାରଣ ଯୋଗୁ ଅନୁମତି ଦେଇ ନାହାନ୍ତି ଜବରଦସ୍ତି କିଛି କରିବା ଉଚିତ ହେବନି । ଲୋକ ଦେଖାଣିଆ କାମ କରିବା ଉଚିତ ନୁହେଁ । ଆଇନଶୃଙ୍ଖଳା ସ୍ଥିତି ବି ଥାଇପାରେ । ରାଲି ପାଇଁ ନିୟମ କାନୁନ ରହିଛି । ସେ କଥା ବୁଝିବା ଦରକାର ।
ଦର୍ଶନ କରିବା ପାଇଁ କାହାକୁ ମନା ନାହିଁ । ସରକାରଙ୍କ କାମକୁ ସ୍ଥାନୀୟ ବିଧାୟକ, ଗଜପତି ବି ସମର୍ଥନ କରୁଥିବା ବେଳେ ଘଟଣାକୁ ରାଜନୀତିକରଣ କରାଯାଉଛି ବୋଲି କହିଛନ୍ତି ସାଂସଦ ମୁନା ଖାଁ । ଅନ୍ୟପଟେ ଆଜି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ବାହାରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ଆଳ ଦେଖାଇ ଚନ୍ଦନପୁର କାଠପୋଲ ନିକଟରୁ ଅଟକାଇଥିଲା ପୁଲିସ୍। ଏକୁଟିଆ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବି ବୋଲି କହି ଅପରାଜିତା ଦୀର୍ଘ ସମୟ ଚାଲି ଚାଲି ଯାଇଥିଲେ। ମାଳତିପୁର ଷ୍ଟେଶନ ନିକଟରେ ହେବା ପରେ ସେଠାରୁ ପୁଣି ଥରେ ଗାଡ଼ିରେ ଯିବାକୁ ଅନୁମତି ଦେଲା ପ୍ରଶାସନ । ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରି ପଦଯାତ୍ରା କରୁଥିବା ଅପରାଜିତାଙ୍କ ଶୋଭାଯାତ୍ରା ଉପରୁ ଟମାଟୋ ମାଡ଼ ହୋଇଥିବା ଜଣାଯାଇଛି। ଏହାକୁ ନେଇ ସରଗରମ ଅଛି ରାଜନୀତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।