
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଜରିମାନା ଓ କ୍ଷତିପୂରଣ ବାବଦକୁ ଆଦାୟ ହେଲା ୭୭ କୋଟି ୯୨ ଲକ୍ଷ ଟଙ୍କା । ଅର୍ଥାତ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧୧ ହଜାର ୮୩୫ଟି ମାମଲଶର ଆପୋସ ବୁଝାମଣା ଜରିଆରେ ଫୈସଲା ହୋଇଛି । ଜରିମାନା ଓ କ୍ଷତିପୂରଣ ବାବଦରେ ୭୭ କୋଟି ୯୨ ଲକ୍ଷ ୪୬ ହଜାର ୭୭୪ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ସମାଧାନ କରାଯାଇଛି । ଫୈସଲା ହୋଇଥିବା ମାମଲା ଗୁଡ଼ିକ ମଧ୍ୟରୁ ୩୮୯ ଫୌଜଦାରୀ, ୮୯୩ ଚେକ ବାଉନ୍ସ, ୩୧୭୧ଟି ବ୍ୟାଙ୍କ ଋଣ, ୬୩୬ଟି ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ୩ଟି ଶ୍ରମ ଓ ନିୟୋଜନ ବିବାଦ, ୫୪ ଟି ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ପଇଠ ସମ୍ପର୍କିତ, ୬୦୪ଟି ପାରିବାରିକ ଓ ବୈବାହିକ ବିବାଦ, ୨୮ଟି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ, ୧୫ଟି ଚାକିରି ସଂକ୍ରାନ୍ତୀୟ, ୧୫୦୮ଟି ଦେୱାନୀ ଓ ୪୫୩୪ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଅନ୍ତର୍ଭୁକ୍ତ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।