୧୮ ଲକ୍ଷ ପିଲା ସ୍କୁଲ ନଆସିବା ପ୍ରସଙ୍ଗ; ଏଣିିକି ଶିକ୍ଷକଙ୍କୁ ସହାୟତା କରିବେ ସରପଞ୍ଚ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିିକି ଶିକ୍ଷକଙ୍କୁ ସହାୟତା କରିବେ ସରପଞ୍ଚ । କାହିଁକିନା ପ୍ରଥମରୁ ଦଶମ ଶ୍ରେଣୀର ୩୦ ପ୍ରତିଶତ ଅର୍ଥାତ ୧୮ ଲକ୍ଷ ପିଲା ଦୈନିକ ସ୍କୁଲ ଆସୁ ନଥିବା ନେଇ ଜଣାପଡ଼ିବା ପରେ ଗଣଶିକ୍ଷା ବିଭାଗ ଖୋଳତାଡ ଆରମ୍ଭ କରିଛି । ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ଗତକାଲି ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ଆଉ ଆଜି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯେଉଁପିଲାମାନେ ନିୟମିତ ଭାବେ ସ୍କୁଲ ଆସୁନାହାନ୍ତି ସେମାନଙ୍କ ଘରକୁ ଶିକ୍ଷକମାନେ ଯିବେ । ପିଲାମାନେ କାହିଁକି ସ୍କୁଲ ଆସୁନାହାନ୍ତି ଓ ସେମାନଙ୍କୁ ସ୍କୁଲକୁ ଫେରାଈ ଆଣିବାକୁ ପଦକ୍ଷେପ ନେବେ । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାବକଙ୍କୁ ବୁଝାଇବେ । ଆବଶ୍ୟକ ପଡ଼ିଲେ ସରପଞ୍ଚମାନଙ୍କ ସହାୟତାରେ ସେମାନେ ପିଲାଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ । ସ୍କୁଲ ପରିଚାଳନା କମିଟି, ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗ ନେଇପାରିବେ । ଆସନ୍ତା ଶିକ୍ଷାବର୍ଷରୁ ଏହି ସବୁ ପିଲାମାନେ ଯେପରି ପୁଣିଥରେ ସ୍କୁଲକୁ ଫେରିବେ ସେଦିଗରେ ଆବଶ୍ୟକ ପଦକ୍ଷେପ ନେବେ । ଗତକାଲି ଜାରି ହୋଇଥିବା ୫ ସୂତ୍ରୀ ଫର୍ମୁଲା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ୧୮ ଲକ୍ଷ ପିଲା ସ୍କୁଲ ଆସୁ ନଥିବା ଚିନ୍ତାର ବିଷୟ ।

ରାଜ୍ୟ ସରକାର ଏହାକୁ ଗୁରୁ୍‌ତ୍ୱର ସହ ନେଇ ପିଲାଙ୍କୁ ପୁଣିଥରେ ସ୍କୁଲକୁ ଫେରାଇ ଆଣିବାକୁ ପଦକ୍ଷେପ ସ୍ୱାଗତଯୋଗ୍ୟ । ପିଲା ଅଧାରୁ ପାଠ ଛାଡ଼ିଥିବା କିଛି ମାତ୍ରାରେ ଠିକ । ମାତ୍ର ଏହାକୁ ଶତ ପ୍ରତିଶତ ମାନିନେବା ଉଚିତ ହେବନି । କାରଣ ପ୍ରତିବର୍ଷ ଏହି ସମୟରେ ଗ୍ରୀଷ୍ମ ଛୁଟି ହୋଇଥାଏ । ସେମାନଙ୍କ ପାଇଁ ସକାଳ ୬ଟାରୁ କ୍ଳାସ କରାଯାଉଛି । ଏତେ ସକାଳୁ ପିଲାମାନେ ସ୍କୁଲ ଆସିବାକୁ ଅମଙ୍ଗ ହେଉଛନ୍ତି । ପିଲାଙ୍କୁ ଖୋଜିବାକୁ ଶିକ୍ଷକମାନେ ଘରକୁ ଘର ବୁଲିବେ ତାହା କାର୍ଯ୍ୟକାରୀ ହେବା କଷ୍ଟକର ହୋଇପଡ଼ିବ । ୪୦ ଡିଗ୍ରି ଖରାରେ ଶିକ୍ଷକମାନେ ପାଠପଢ଼ା ସାରି ପିଲାଙ୍କ ଘରେ ପହଞ୍ଚିବା ଆଦୌ ସମ୍ବପର ହେବ ନାହିଁ । ବରଂ ଅଭିଭାବକ, ସ୍କୁଲ ପରିଚାଳନା କମିଟି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ପଶ୍ଚିମ ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସବୁଠାରୁ ଅଧିକ ନୈରାଶ୍ୟଜନକ । ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ସବୁଠଶରୁ କମ ଉପସ୍ଥାନ ସମ୍ବଲପୁର, ବୌଦ୍ଧ, ମାଲକାନଗିର, ନୂଆପଡ଼ା ଜିଲ୍ଲାରେ ରହିଛି । ଏହି ଜିଲ୍ଲାରେ ପିଲାଙ୍କ ଉପସ୍ଥାନ ହ୍ରାସ ପଛର କାରଣ କଣ ରହିଛି ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ମତପ୍ରକାଶ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts