ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଠିକ ଔଷଧ ଦାବି କରି ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିବା କିଡନୀ ରୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଆନ୍ଦୋଳନରତ କିଡନୀ ରୋଗୀଙ୍କ ଦାବି ସମ୍ପର୍କରେ ସେ ଅବଗତ ଅଛନ୍ତି। ସେମାନଙ୍କର ସମସ୍ୟା ଜଣାଇବାକୁ ଯେଉଁ ପ୍ରତିବାଦ କରୁଛନ୍ତି ତାହା ତାଙ୍କର ସମ୍ପୂର୍ଣ୍ଣ ଅଧିକାର। ସେମାନେ ଯଦି ତାଙ୍କୁ ଭେଟି ନିଜର ସମସ୍ୟା ଜଣାଇବେ ତାହେଲେ ସେ ସ୍ୱାଗତ କରିବେ ବୋଲି କହିଛନ୍ତି। ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହାର ସମାଧାନ ପାଇଁ ବିଭାଗ ପକ୍ଷରୁ ପୂର୍ବରୁ ବୈଠକ ବସିଥିଲା। ଏହି ମାମଲାକୁ ତୁରନ୍ତ ସମାଧାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ସଠିକ୍ ଔଷଧ ଦାବି କରି କିଡନୀ ରୋଗୀ ମାନେ ଆନ୍ଦୋଳନ କରିଥିଲେ। ତେବେ ଦୀର୍ଘଦିନର ଆନ୍ଦୋଳନ ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ସଠିକ୍ ଔଷଧ ମିଳିଥିଲା। ତେବେ ମାସେ ଠିକ୍ ଔଷଧ ଦେବା ପରେ ରାଜ୍ୟ ସରକାରଙ୍କ ତରଫରୁ ସେହି ପୁରୁଣା (ଯାହା ବ୍ୟାନ) ଔଷଧ ଦିଆଯାଇଥିବା ଅଭିଯୋଗ କରିଥିଲେ କିଡନୀ ରୋଗୀ। ଏହାପରେ ସୋମବାରଠାରୁ ଭୁବନେଶ୍ୱରସ୍ଥିତ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି। ସରକାରୀ ଡାକ୍ତରଖାନାରେ ଔଷଧ ମିଳୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ବୁଧବାର ସ୍ୱାସ୍ଥ୍ୟ ସଚିବଙ୍କ ସହ ଦ୍ୱିତୀୟ ପର୍ୟ୍ୟାୟ ବୈଠକରେ କୌଣସି ସୁଫଳ ନମିଳିବା ପରେ ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପୂର୍ବରୁ ସେମାନେ ମନ୍ତ୍ରୀଙ୍କ ନିକଟରେ ଏ ସମ୍ପର୍କରେ ଅଭିୟୋଗ କରିଥିଲେ ମଧ୍ୟ ମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରିନଥିବା ଏବଂ ସରକାରୀ ଡାକ୍ତରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି।
ଆନ୍ଦୋଳନରେ ବସିଥିବା ବିକ୍ଷୋଭକାରୀ କହିଛନ୍ତି ଯେ, ସରକାରୀ ଡାକ୍ତରମାନେ ବ୍ୟାନ ହୋଇଥିବା ଔଷଧକୁ ଲେଖୁଛନ୍ତି। ପୂର୍ବରୁ ୨୫ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ୧୮ ଜଣ ଅଭିଯୋଗ କରିଛନ୍ତି ଯେ ଏହି ଔଷଧ ଖାଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନାହିଁ।
