ଚର୍ଚ୍ଚାରେ ଅନୁଭବଙ୍କ ପୋଷ୍ଟ; ବର୍ଷାଙ୍କୁ ଟ୍ୟାଗ କରି ଦେଲେ ବନ୍ଧୁତା କରିବାର ପରାମର୍ଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁଣି ଚର୍ଚ୍ଚାରେ ଓଲିଉଡ଼ ଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ | ନିଜ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଅନୁଭବ, ପତ୍ନୀ ବର୍ଷାଙ୍କୁ ଟ୍ୟାଗ କରି ଲେଖିଛନ୍ତି, ମୁଁ ତୁମକୁ ହୃଦୟର ଗଭୀରତମ ପ୍ରଦେଶରୁ ଭଲପାଏ | ଯେକୌଣସି କାରଣରୁ ଆମର ବିବାହ ବିଫଳ ହୋଇଥିଲେ ବି, ବିବାହ ବିଚ୍ଛେଦ ପରେ ଆମେ କଣ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି? ଏହି ବିଚ୍ଛେଦ ଏତେ ତିକ୍ତତାର ସହ ହେଉ ବୋଲି ମୁଁ ଚାହୁଁ ନାହିଁ। ବିଚ୍ଛେଦ ତ ନିଶ୍ଚିତ ହେବ, ତାହେଲେ କାହିଁକି ଏହା ସମ୍ମାନର ସହ ନ ହେବ ବୋଲି ଅନୁଭବ କହିଛନ୍ତି।

ତେବେ ଅନୁଭବଙ୍କ ଏହି ପୋଷ୍ଟ ପରେ, ଏହି ସବୁ ଶବ୍ଦ ତାଙ୍କ ହୃଦୟରୁ ନା କେବଳ ଏକ ଡ୍ରାମା ବୋଲି ଏବେ ଚର୍ଚ୍ଚା ହେଉଛି | କାରଣ ଯେବେଠାରୁ ବର୍ଷାଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ମାମଲା ଚାଲିଲାଣି ସେବେଠାରୁ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବହୁ ଅଭିଯୋଗ ଆଣିଛନ୍ତି | ନିକଟରେ କଟକ ପରିବାର ଅଦାଲତ ତାଙ୍କର ବିବାହ ବିଚ୍ଛେଦ ମାମଲାକୁ ଖାରଜ କରିଦେବାପରେ, ବିଭିନ୍ନ ଗଣମାଧ୍ୟମରେ ବର୍ଷା ତାଙ୍କୁ ଶାନ୍ତିରେ ବଂଚିବାକୁ କି ମାରିବାକୁ ଦେବାକୁ ଚାହୁଁନାହାନ୍ତି ବୋଲି ଅନୁଭବ କହିଥିଲେ | ଏପରିକି କୌଣସି ବି ଜନ୍ମରେ ବର୍ଷାଙ୍କୁ ସେ ତାଙ୍କର ପତ୍ନୀ ଭାବେ ପାଇବାକୁ ଚାହିଁବେ ନାହିଁ ବୋଲି କହିଥିଲେ | ହେଲେ ବର୍ତ୍ତମାନ ହଠାତ ଅନୁଭବ ସୋସିଆଲ ମିଡ଼ିଆ ମାଧ୍ୟମରେ ବର୍ଷାଙ୍କ ଆଡକୁ ବନ୍ଧୁତାର ହାତ ବଢାଇବା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି | ହେଲେ ଅନୁଭବଙ୍କ ବିଗତ ଦିନରେ ଦେଇଥିବା ବୟାନ ଓ ସୋସିଆଲ ମିଡ଼ିଆର ପୋଷ୍ଟ ଯୋଗୁଁ ଅନୁଭବଙ୍କର ଆଜିର ପୋଷ୍ଟରେ ଡାଇଲଗ ଅଧିକ ଓ ଦରଦ କମ ଥିବା କୁହାଯାଉଛି | କେବଳ ଲୋକଙ୍କ ଭିତରେ ରହିବା ପାଇଁ, ଅନୁଭବ ନିଜ ବ୍ୟକ୍ତିଗତ ସମ୍ପର୍କକୁ ଦାଣ୍ଡରେ ପକାଇ ହାଟରେ ଗଡାଉଥିବା ଚର୍ଚ୍ଚା ହେଉଛି |

Related Posts