‘ଦୟାକରି ରାଜ୍ୟ ସରକାର ଆଉ କେନ୍ଦ୍ରୀୟ ଅବହେଳା କଥା କୁହନ୍ତୁନି’: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳଷ୍ଟେସନ ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ଆଜି ସ୍ଥାପନ ହୋଇଛି। ଏହି ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦୟାକରି ଆଉ କେନ୍ଦ୍ରୀୟ ଅବହେଳା କଥା କୁହନ୍ତୁନି ରାଜ୍ୟ ସରକାର। ମୋଦି ସରକାରରେ କେନ୍ଦ୍ରୀୟ ଅବହେଳା କହିବା ଆଉ ଯୁକ୍ତିଯୁକ୍ତ ନୁହେଁ । କେନ୍ଦ୍ରୀୟ ଅବହେଳା କଥା ନକହି ବିକାଶ ଧରାରେ ସାମିଲ ହୁଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସେ କହିଛନ୍ତି, ମାତ୍ର ଦୁଇ ଘଣ୍ଟା ପୁର୍ବରୁ ଭଦ୍ରକ ପାଇଁ ଆଉ ଏକ ଟ୍ରେନ ଚଳାଇବାକୁ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଦାବି କଲେ ଆଉ ସଂଗେ ସଂଗେ ରେଳମନ୍ତ୍ରୀ ପୂରଣ କଲେ। ରେଳ ମନ୍ତ୍ରୀଙ୍କ ଦ୍ୱାରା ଖୁବ ଶୀଘ୍ର ଭଦ୍ରକକୁ ଆଉ ଏକ ମେମୁ ଟ୍ରେନ୍ ଚାଲିବାର ଘୋଷଣା ସ୍ୱାଗତଯୋଗ୍ୟ । ଓଡ଼ିଶାରେ ୩୬ଟି ଷ୍ଟେସନ ନବକଳେବର ହେବା ଖୁସିର ବିଷୟ । ଏ ହେଉଛି ମୋଦିଙ୍କ ବିଜୁଳି ସ୍ପିଡ଼୍। ତଥାପି ରାଜ୍ୟ ସରକାର କହୁଛନ୍ତି ଆମେ କେନ୍ଦ୍ର ଅବହେଳା ବିରୋଧରେ ଳଢିବୁ। ଆଉ କହିଲେ ଜାତୀୟ ଦଳଙ୍କର ନଜର ଓଡ଼ିଶା ପାଇଁ ନାହିଁ। ତାହେଲେ ଆଉ କଣ କହିହେବ।

ସେ ଆହୁରି କହିଛନ୍ତି ଯେ, ଆଗରୁ ଆମ ଖଣି ଖାଦନରୁ ଦିଲ୍ଳୀ ପୁଞ୍ଜିପତି ପକେଟ ଭରୁଥିଲା। ଏବେ ଖଣି ନିଲାମ ଟଙ୍କା ଦିଲ୍ଳୀ ଯାଉନି ରାଜଧାନୀରେ ରହୁଛି। ହେଲେ ଯେଉଁମାନଙ୍କ ପାଖକୁ ଯିବା କଥା ଆଦିବାସୀ, ଦଳିତମାନଙ୍କ ପାଖକୁ, ହେଲେ ତାହା ସେମାନଙ୍କ ପାଖକୁ ଯାଉଛି ନା ନାହିଁ ତାହା ଜଣାନାହିଁ ଡିଏମଏଫରେ ବର୍ଷକୁ ୧୫ ହଜାର କୋଟି ପାଉଛି। ମୋଦିଙ୍କ ପୁର୍ବରୁ ଶୂନ୍ ଥିଲା। ଭୁବନେଶ୍ବରକୁ ବିଶ୍ଵର ସିଲିକନ୍ ସିଟି ବନେଇବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଅନ୍ୟପଟେ ଆଜି ତାଳଚେରର ଶୁଭାରମ୍ଭ ହେବାକୁ ଥିବା ସମ୍ବଲପୁର ହାୱାଡ଼ା ଟ୍ରେନକୁ ମହିମା ଗୋସ୍ୱାଇଁଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ତେବେ ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗ ଦେଇଛନ୍ତି । ବିଶିଷ୍ଟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ଅ‌ନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଛନ୍ତି।

Related Posts