୨୦୨୦ରୁ ରାହୁଲ ଗାନ୍ଧି ୧୧୩ ଥର ସୁରକ୍ଷା ନିୟମର ଉଲଂଘନ କରିଛନ୍ତି; କଂଗ୍ରେସର ଚିଠିକୁ ନେଇ ସିଆରପିଏଫ୍‌ର ଜବାବ୍

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ବୁଧବାର ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ଦର୍ଶାଇ ଗୃହମନ୍ତ୍ରଣାଳୟକୁ ଚିଠି ଲେଖିଥିଲା। ଏହାକୁ ନେଇ ସିଆରପିଏଫ୍ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଜବାବ ଦିଆଯାଇଛି। ସିଆରପିଏଫ୍ କହିଛି ଯେ, ରାହୁଲ ଗାନ୍ଧି ୨୦୨୦ ରୁ ଏପର୍ଯ୍ୟନ୍ତ ୧୧୩ ଥର ସୁରକ୍ଷା ନିୟମକୁ ଉଲଂଘନ କରିଛନ୍ତି। ସିଆରପିଏଫର ସୂଚନା ଅନୁସାରେ, ‘ଭାରତ ଯୋଡ ଯାତ୍ରା’ ସମୟରେ ମଧ୍ୟ ବହୁବାର ରାହୁଲ ଗାନ୍ଧି ସୁରକ୍ଷା ନିୟମକୁ ଉଲଂଘନ କରିଛନ୍ତି।

କଂଗ୍ରେସର ଅଭିଯୋଗ ଉପରେ ସିଆରପିଏଫ୍ ପକ୍ଷରୁ ଗୃହମନ୍ତ୍ରଣାଳୟକୁ କୁହାଯାଇଛି ଯେ, ଗାଇଡଲାଇନ୍ ଅନୁସାରେ ରାହୁଲ ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗସ୍ତରେ ଥିବା ବେଳେ ତାଙ୍କ ସୁରକ୍ଷା ଦାୟିତ୍ବ ରାଜ୍ୟ ପୋଲିସ ସମନ୍ବୟରେ ସିଆରପିଏଫର ରହିଥାଏ। ପ୍ରତ୍ୟେକ ଗସ୍ତ ପାଇଁ ଅଗ୍ରୀମ ସୁରକ୍ଷା ସମ୍ପର୍କ(ଏଏସଏଲ୍) ମଧ୍ୟ କରାଯାଇଥାଏ। ରାହୁଲ ଗାନ୍ଧି ଦିଲ୍ଲୀ ଯାତ୍ରା ପୂର୍ବରୁ ୨୨ ଡିସେମ୍ବରରେ ଏଏସ୍ଏଲ୍ କରାଯାଇଥିଲା। ଯାତ୍ରା ବେଳେ ସମସ୍ତ ଗାଇଡ ଲାଇନ୍ କଡାକଡି ଭାବରେ ପାଳନ କରାଯାଇଥିଲା ଓ ଦିଲ୍ଳୀ ପୋଲିସ ସୂଚନା ଦେଇଥିଲା ଯେ, ପର୍ଯ୍ୟାପ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା। ତେବେ ବହୁ ବାର ରାହୁଲ ଗାନ୍ଧି ନିର୍ଦ୍ଧାରିତ ନିୟମର ଉଲଂଘନ କରିଛନ୍ତି। ଏ ବିଷୟରେ ବହୁବାର ସମୟ ସମୟରେ ସୂଚନା ଦିଆଯାଇଥାଏ ବୋଲି ସିଆରପିଏଫ୍ କହିଛି।

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ଯାତ୍ରାରେ ସୁରକ୍ଷାରେ ଅବହେଳା ଅଭିଯୋଗ କରି ଗୃହମନ୍ତ୍ରଣାଳୟକୁ ଚିଠି ଲେଖିଥିଲା। କଂଗ୍ରେସ ଅଭିଯୋଗ କରିଛି ଯେ, ଦିଳ୍ଲୀ ପୋଲିସ ରାହୁଲଙ୍କ ସୁରକ୍ଷା ପ୍ରସଙ୍ଗ ଉପରେ ସମ୍ପୂର୍ଣ୍ଣ ବିଫଳ ରହିଛି। କଂଗ୍ରେସ ମହାସଚିବ କେସି ଭେନୁଗୋପାଲ ଚିଠି ଲେଖିଥିଲେ ଯେ, ଗତ ୨୪ ଡିସେମ୍ବରରେ ରାହୁଲଙ୍କ ଯାତ୍ରା ଦିଲ୍ଲୀ ପହଞ୍ଚିଥିଲା। ସେଠାରେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା। ପୋଲିସ ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା। ଆଗକୁ ଏହି ଯାତ୍ରା ପଞ୍ଜାବ ଓ ଜମ୍ମୁ-କାଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳ ଦେଇ ଯିବାକୁ ଥିବାରୁ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କଂଗ୍ରେସ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲା।

Related Posts