
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଇସ୍ତଫା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେ କାହିଁକି ଇସ୍ତଫା ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅପରିପକ୍ଷରେ ଅମରଜିତ ୧୯୮୩ ବିହାର କ୍ୟାଡରର ଆଇଏଏସ ଅଫିସର । ଗତବର୍ଷ ଫେବୃୟାରୀ ମାସରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା । ତାଙ୍କୁ ମିଳିଥିବା ଦାୟିତ୍ୱ ଶେଷ ହେବାକୁ ଆହୁରି ୭ ମାସ ବାକି ଥିବା ବେଳେ ସେ ଏପରି ପଦକ୍ଷେପ ନେଇଛନ୍ତି। ଶ୍ରୀ ସିହ୍ନା ପ୍ରଥମେ ଗ୍ରାମିଣ ବିକାଶ ସଚିବ ଭାବେ ୨୦୧୯ରେ କାମ କରୁଥିଲେ।
କିନ୍ତୁ ୨୦୨୦ ଫେବୃଆରୀରେ ତାଙ୍କୁ ପିଏମଓର ପରାମର୍ଶଦାତା ଭାବେ ଦୁଇ ବର୍ଷ ପାଇଁ ନିଯୁକ୍ତି ମିଳିଥିଲା। ଅନ୍ୟପଟେ ଅମରଜିତଙ୍କୁ ମିଶାଇଲେ ଚଳିତ ବର୍ଷ ଏହା ଦ୍ୱିତୀୟ ଇସ୍ତଫା । କାରଣ ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ସିହ୍ନା ଇସ୍ତଫା ଦେଇଥିଲେ । ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେବା ପରେ ତାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା ।
ତିନି ଦଶକର କ୍ୟାରିୟର ବାବଦରେ କହିବାକୁ ଗଲେ ସିହ୍ନା ଶିକ୍ଷା ଓ ପଞ୍ଚାୟତିରାଜ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ । ତାଙ୍କର ନ୍ୟାସନାଲ ରୁରାଲ ହେଲଥ ମିଶନ ଓ ସର୍ବଶିକ୍ଷା ଅଭିଯାନ ଭଳି ଯୋଜନାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ମିଳିଥିବା ସୂଚନା ଅନୁସାରେ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା ଗତ ମାର୍ଚ୍ଚ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କର ଏହି ଇସ୍ତଫା ପଛର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।