ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମସ୍ ଉଦଘାଟିତ: ଭାଗ ନେଉଛନ୍ତି 3 ହଜାରରୁ ଅଧିକ ପ୍ରତିଯୋଗୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଛି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ପ୍ରଥମ ସଂସ୍କରଣ। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟରୁ ୩୩୪୩ ଖେଳାଳି ୧୭ଟି କ୍ରୀଡ଼ାରେ ଭାଗ ନେଉଛନ୍ତି।

ଉଭୟ କଟକ ଓ ଭୁବନେଶ୍ୱରରରେ ଏହି ଖେଳଗୁଡ଼ିକ ଅନୁଷ୍ଠିତ ହେବ। ଉଦଘାଟନୀ ଉତ୍ସବ କଟକର ଜବାହାର ଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଏହା ଭାରତୀୟ କ୍ରୀଡ଼ା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମୋଦି କହିଛନ୍ତି। ସେ କହିଛନ୍ତି, ଆଜି ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ଭାରତର ଇତିହାସରେ ପ୍ରଥମଥର ପାଇଁ ଯୁବ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓଡ଼ିଶାରେ ହିଁ ହେଉଛି। ଏହା ଭାରତୀୟ କ୍ରୀଡ଼ା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ଓ ଆଗାମୀ ଭବିଷ୍ୟତ ପାଇଁ ମଧ୍ୟ ଏକ ବଡ଼ ପଦକ୍ଷେପ। ଭାରତ ଏବେ ବିଶ୍ୱର ସେହି ରାଷ୍ଟ୍ରମାନଙ୍କ ସହ ସମକକ୍ଷ ହୋଇପାରିଲା, ଯେଉଁଠାରେ ଏଭଳି ବିଶ୍ୱବିଦ୍ୟାଳୟସ୍ତରୀୟ ଖେଳ ଆୟୋଜନ କରାଯାଏ। ମୁଁ ଏହି ଆକର୍ଷଣୀୟ ଇଭେଣ୍ଟ ର ଆୟୋଜନ କରିଥିବା ଓଡ଼ିଶାର ଆୟୋଜକଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ୩୦୦୦ରୁ ଅଧିକ ଯୁବ ଆଥ୍‌ଲେଟ୍‌ମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ଶୁଭକାମନା ଦେଉଛି। ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍ଜିଜୁ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ସଫଳତା ପରେ ଭାରତ ସରକାର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ସରକାର ଆଗକୁ ଆସି ମାତ୍ର ଏକ ମାସରୁ କମ୍ ସମୟ ମଧ୍ୟରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। କେଆଇୟୁଜି ଔପଚାରିକ ଭାବେ ଗତକାଲି (ଶୁକ୍ରବାର) ତୀରନ୍ଦାଜ, ଫେନ୍ସିଙ୍ଗ୍‌, ଫୁଟ୍‌ବଲ, ବାସ୍କେଟ୍‌ବଲ ଓ ଭଲିବଲ ଭଳି ପ୍ରତିଯୋଗିତା ସହ ଆରମ୍ଭ ହୋଇଥିଲା।

ଉଦଘାଟନୀ ସମାରୋହରେ ପ୍ରାୟ ୩୯୦ ଛାତ୍ରଛାତ୍ରୀ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିଥିଲେ। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଦ୍ୱାରା କୋରିଓଗ୍ରାଫ କରାଯାଇଥିବା ଓଡ଼ିଶୀ ଓ ସମ୍ବଲପୁରୀ ଭଳି ନୃତ୍ୟ କଳା ପ୍ରଦର୍ଶିତ ହୋଇଥିଲା। ଭାରତୀୟ ଆର୍ଚର ମୁସ୍କାନ କିରାର୍ ଟୁର୍ଣ୍ଣାମେଣ୍ଟରର ଆରମ୍ଭ କରିଥିବା ମଶାଲ ରିଲେର ନେତୃତ୍ୱ ନେଇଥିଲେ ଓ ସେ ଏହାକୁ ସ୍ୱିମର୍ ଏସ୍ ପି ଲିକିଥ୍‌ଙ୍କୁ ହସ୍ତାନ୍ତର କରିଥିଲେ। ପରେ ଲିକିଥି ତାହାକୁ ପୂର୍ବତନ ଇଣ୍ଡିଆ ହକି ପ୍ଲେୟର ଦିଲୀପ ତିର୍କୀଙ୍କୁ ଦେଇଥିଲେ। ସେ କଲ୍‌ଡ୍ରୋନରେ ଅଗ୍ନି ସଂଯୋଗ କରିଥିଲେ।

ସେହିପରି ଆଥ୍‌ଲେଟ୍‌ଙ୍କ ପାଇଁ ଶପଥ ଗ୍ରହଣ ଉତ୍ସବର ନେତୃତ୍ୱ ନେଇଥବଲେ ସ୍ପ୍ରିଂଟର୍ ଦୂତୀ ଚାନ୍ଦ। ଯିଏକି ଏହି ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଗାୟିକା ସୋନା ମହାପାତ୍ର ସମାରୋହରେ ସଙ୍ଗୀତ ପରିବେଶଣ କରିଥିଲେ। ଗୀତିକାର ନକାସ ଅଜିଜ୍ ‘ଖେଲୋ ଖେଲୋ’ ଗୀତ ମାଧ୍ୟମରେ ଆଥ୍‌ଲେଟ୍‌ମାନଙ୍କୁ ଉତ୍ସେହିତ କରିଥିଲେ । କେଆଇୟୁଜି-୨୦୨୦ ଓଡିଶାରେ ୧୫୯ଟି ବିଶ୍ୱବିଦ୍ୟାଳୟର ୩୩୪୩ ଜଣ ଆଥ୍‌ଲେଟ୍ ଓ ବହୁସଂଖ୍ୟକ ଟେକ୍ନିକାଲ ତଥା ସପୋର୍ଟ କର୍ମଚାରୀ ଯୋଗ ଦେଇଛନ୍ତି।

ଏହି ଖେଳାଳିମାନେ ତୀରନ୍ଦାଜ, ଆଥ୍‌ଲେଟିକ୍ସ, ବକ୍ସିଙ୍ଗ୍‌, ଫେନ୍ସିଙ୍ଗ୍‌, ଜୁଡୋ, ସ୍ୱିମିଙ୍ଗ୍‌, ଭାରୋତ୍ତଳନ, କୁସ୍ତି, ବ୍ୟାଡ୍‌ମିଂଟନ, ବାସ୍କେଟ୍‌ବଲ, ଫୁଟ୍‌ବଲ, ହକି, ଟେବୁଲ ଟେନିସ୍‌, ଟେନିସ୍‌, ଭଲିବଲ, ରଗ୍‌ବି ଓ କବାଡି ଆଦି ୧୭ଟି ବିଭାଗରେ ଅଂଶ ଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଂଟ୍ କଟକ ଓ ଭୁବନେଶ୍ୱରର ୧୦ଟି ସ୍ଥାନରେ ଅନୁଷ୍ଠିତ ହେବ। କିଟ୍ ବିଶ୍ୱବିଦ୍ୟାଳୟ ଏହାର ମୁଖ୍ୟ କେନ୍ଦ୍ର ହେବ। ଏହି କ୍ରୀଡ଼ା ପାଇଁ ମୋଟ ୨୦୬ଟି ଗୋଲ୍ଡ, ୨୦୬ଟି ସିଲ୍‌ଭର ଓ ୨୮୬ଟି ବ୍ରୋଞ୍ଜ ପଦକ ରହିଛି। କେଆଇୟୁଜି ଷ୍ଟାର ସ୍ପୋର୍ଟସ୍‌, ହଟ୍‌ଷ୍ଟାର ଓ ଦୂରଦର୍ଶନରେ ଲାଇଭ୍ ଟେଲିକାଷ୍ଟ ହେବ।

ଖେଲୋ ଇଣ୍ଡିଆର ଏକ ମୋବାଇଲ ଆପ ମଧ୍ୟ ଖୋଲାଯାଇଛି । ପ୍ରତ୍ୟେକ ଭାରତୀୟ ଏହି ଆପ୍‌କୁ ବ୍ୟବହାର କରି ଖେଲୋ ଇଣ୍ଡିଆ ସମ୍ପର୍କରେ ସବିଶେଷ ତଥ୍ୟ ପାଇ ପାରିବେ। ଓଡ଼ିଶାର ୪ ବିଶ୍ୱବିଦ୍ୟାଳୟ ଭାଗ ନେଇଛନ୍ତି । ସେମାନେ ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ, କିଟ୍‌, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଂଶ ଗ୍ରହଣ କରିବେ। କଟକର ଜବାହାରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ୨ଟି ଇଭେଣ୍ଟ ଖେଳାଯିବା ବେଳେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, କିଟ୍ ସମେତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଅନ୍ୟାନ୍ୟ ପ୍ରତିଯୋଗିତା ହେବ।

Related Posts