ଜଳଛତ୍ର ମାଠିଆରେ ବିଷ; ୩ ଜଣ ଅସୁସ୍ଥ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଶିମିଳିବାଞ୍ଛା ପଞ୍ଚାୟତର ଏମ୍‌ଭି ୪୯ ଗାଁରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ | ଜଳଛତ୍ର ମାଠିଆରୁ ପାଣି ପିଇ ୩ ଜଣ ଅସୁସ୍ଥ | ଅସୁସ୍ଥଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ଜଣାଯାଇଛି। ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏମ୍‌ଭି ୪୯ ଗ୍ରାମ ମୁଖ୍ୟ ଛକରେ ସପ୍ତାହେ ତଳେ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା। ଗତକାଲି ଗାଁର ନାବାଳିକା ସମେତ ତିନି ଜଣ ବ୍ୟକ୍ତି ଯାଇ ଜଳଛତ୍ରରୁ ପାଣି ପିଇଥିଲେ। ପରେ ସେମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ସେମାନଙ୍କୁ ଦୁର୍ବଳ ଲାଗିଥିଲା। ପରିବାର ଲୋକେ ସେମାନଙ୍କୁ ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

କିଛି ବିଷାକ୍ତ ଜିନିଷ ଖାଇବା ଯୋଗୁ ତିନି ଜଣ ଅସୁସ୍ଥ ଥିବା ଡାକ୍ତର କହିଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଜଳଛତ୍ର ପାଣିରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଜିଙ୍ଗ କୁ ନେଇ ପୁଲିସ ଘଟଣାର ତଦନ୍ତ କରିଛି |

Related Posts