ଆଦିବାସୀଙ୍କୁ ଧୋକା ! ସରକାରୀ କର୍ମଚାରୀଙ୍କ ମିଲି ଭଗତରେ ୬ ଏକର ଜମି ହଡ଼ପ ଅଭିଯୋଗ

ସୁବ୍ରତ କୁମାର ଦାସ:

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଦିବାସୀଙ୍କୁ ଧୋକା ! ସାମ୍ନାକୁ ଆସିଲା ସରକାରୀ କର୍ମଚାରୀଙ୍କ ମିଲିଭଗତରେ ଏକର ଏକର ଜଙ୍ଗଲ ଜମି ହଡ଼ପ ହୋଇଥିବାର ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଲହଡ଼ା ବ୍ଲକର ବାଲିପସି ପଞ୍ଚାୟତର ଯୋଗୀମୁଣ୍ଡା ଗ୍ରାମରୁ । ତେବେ ଏହି ଆଦିବାସୀ ବହୁଳ ଗାଁ ରେ ପାଖାପାଖି ତିନିଶହ ଲୋକ ବସବାସ କରନ୍ତି । ଏମାନଙ୍କର ଜୀବନ ଜୀବିକା କହିଲେ ମୂଲ ଲାଗିବା । ଅର୍ଥାତ ପ୍ରତ୍ୟେକ ଦିନ ମୂଲ ଲାଗି ସେମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଆଉ ସବୁଠାରୁ ବିଡ଼ମ୍ବାନର ବିଷୟ ଯେ ଏହି ଗାଁ ଏବେବି ଚିର ଅବହେଳିତ ଅବସ୍ଥାରେ ପଡି ରହିଛି । ବିକାଶ ଏମାନଙ୍କ ପାଇଁ ଯେପରି ସ୍ବପ୍ନ ପାଲଟିଛି । ଏହି ଗାଁ କୁ ନା ଭଲ ରାସ୍ତା ଖଣ୍ଡିଏ ଅଛି ନା ପିଇବା ପାଣି ର ସୁବିଧା ଅଛି ନା ଗାଧେଇବା ପାଇଁ ପୋଖରୀ ଅଛି ନା ପିଲାଙ୍କ ପାଇଁ ଖେଳ ପଡିଆ ଅଛି । ଏଠି ଲୋକଙ୍କ କହିବା କଥା ନିର୍ବାଚନ ଆସିଲେ ହିଁ ନେତାଙ୍କ ଏହି ଗାଁରେ ପାଦ ପଡେ । ଆଉ ନିର୍ବାଚନ ସମୟରେ ଏମାନେ ଆଦିବାସୀ ଙ୍କୁ ଅନେକ ବିକାଶର ସ୍ବପ୍ନ ଦେଖାଇଥାନ୍ତି । ହେଲେ ନିର୍ବାଚିତ ହେଲା ପରେ ନେତାଙ୍କ ଏମାନଙ୍କ ପ୍ରତି ବ୍ୟବହାର ଓ ବିକାଶର କାର‌୍ୟ୍ୟ ଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଏ । ଏହି ମଳି ମୁଣ୍ଡିଆ ଆଦିବାସୀଙ୍କ ସମସ୍ୟାର କଥା କେହି ଶୁଣନ୍ତି ନାହିଁ ।

ଏପରିକି ପଞ୍ଚାୟତ କାର‌୍ୟ୍ୟାଳୟ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ମଧ୍ୟ ଏମାନଙ୍କୁ ବାରମ୍ବାର ଅଣଦେଖା କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏହି ଗାଁ ମୁଣ୍ଡକୁ ଲାଗି ସରକାରୀ ଜଙ୍ଗଲ ଜମି ପ୍ରାୟ ୬ ଏକରରୁ ଉର୍ଦ୍ଧ୍ବ ସ୍ଥାନରେ ଏକ ପୁରାତନ ପୋଖରୀ ଗାଁ ଲୋକଙ୍କ ନିମନ୍ତେ ଦିର୍ଘ ପନ୍ଦର ବର୍ଷ ପୂର୍ବରୁ ବାଲିପସି ପଞ୍ଚାୟତ ତରଫରୁ ଖୋଳା ଯାଇଥିଲା । ଏହା ସହ ତା ପାଖକୁ ଲାଗି ଏକ ଖେଳ ପଡିଆ ତହସିଲ କାର‌୍ୟ୍ୟାଳୟ ପକ୍ଷରୁ ଚିହ୍ନଟ କରି ଗାଁ ଲୋକଙ୍କୁ ପ୍ରଦାନ କରା ଯାଇଥିଲା । ସେହି ସମୟରେ ଏହି ପୋଖରୀ ନିର୍ମାଣ କାର‌୍ୟ୍ୟ ପଞ୍ଚାୟତରୁ ମଧ୍ୟ ବିଲ ପାସ ହୋଇଥିଲା । ତେବେ ସେବେଠାରୁ ଏହି ପୋଖରୀରେ ଗାଁ ଲୋକେ ଗାଧୁଆ ପାଧୁଆ କରିବା ସହ ଖେଳ ପଡିଆକୁ ବ୍ୟବହାର କରି ଆସୁଛନ୍ତି । କିଛି ବର୍ଷ ପୂର୍ବରୁ ଏହି ପୋଖରୀ ଓ ଖେଳ ପଡିଆକୁ ଲାଗି ଚଷାଗୁରୁଜାଙ୍ଗ ପଞ୍ଚାୟତ ଶୁଶବ ଗାଁର ଶରତ ଚନ୍ଦ୍ର ଦେବ ତହସିଲ କାର‌୍ୟ୍ୟାଳୟରୁ ୬ ଏକର ଜମି ଲିଜରେ ନେଇ ଗତ ବର୍ଷ ବାଲିପସି ଗାଁ ର ସରୋଜିନୀ ସାହୁଙ୍କୁ ୪ ଏକର ଓ ଝୁମୁରିରାଣି ଗଡ଼ନାୟକଙ୍କୁ ୨ ଏକର ବିକ୍ରି କରିଦେଇ ଥିଲେ । ବର୍ତ୍ତମାନର ଜମି ମାଲିକ ବୋଲାଉ ଥିବା ସରୋଜିନୀ ସାହୁ ଓ ଝୁମୁରିରାଣି ଗଡନାୟକ ଉଭୟେ ଗତ ଚାରିମାସ ତଳେ ସରକାରୀ ଅମିନ, ଆର ଆଇ ଆଣି ୬ ଏକର ଜମିକୁ ଚିହ୍ନଟ କରିଥିଲେ । ଏମାନଙ୍କ ଚିହ୍ନଟ ମୁତାବକ ଗାଁ ଲୋକଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ପୋଖରି ଓ ଖେଳ ପଡିଆଟି ସମ୍ପୂର୍ଣ୍ଣ ଏମାନଙ୍କ ଅଧିନରେ ଆସୁଥିବା ଅନୁମାନ କରି ସିମେଣ୍ଟ ଖୁଣ୍ଟି ପୋତିବା ସହ ଜେସିବି ମେସିନ ସାହାଯ୍ୟରେ ପୋଖରୀର ହୁଡା ସବୁକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ । ତେବେ ଗାଁ ଲୋକେ ବିରୋଧ କରିବାରୁ କିଛି ପୋଲିସ କର୍ମଚାରୀ ଆସି ଗାଁ ଲୋକଙ୍କୁ ଧମକ ଦେଇଥିଲେ ।

ବିରୋଧ କଲେ ମିଥ୍ୟା କେଶ ଠକି ଦେବି କହି ଧମକ ଚମକ ଦେଇ ନିଜ ଅଧିନକୁକୁ ନେବାରେ ସେମାନେ କାଞ୍ଚିତ ସଫଳ ହୋଇଥିଲେ । ସେବେଠାରୁ ଏଯାବତ ଗାଁ ଲୋକ ଓ ସରୋଜିନୀ ସାହୁ , ଝୁମୁରିରାଣି ଗଡନାୟକଙ୍କ ମଧ୍ୟରେ ବିବାଦ ଲାଗି ରହି ଆସିଛି । ଏହାକୁ ନେଇ ଗାଁ ଲୋକେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ପର‌୍ୟ୍ୟନ୍ତ ଦୈଡିଥିଲେ ମଧ୍ୟ କୈଣସି ସୁଫଳ ମିଳୁ ନାହିଁ । ଏଠି ପ୍ରଶ୍ନ ଉଠୁଛି ଯେ ସରକାରଙ୍କର ଆଦିବାସୀଙ୍କ ପ୍ରତି ଏ ପ୍ରକାରର ବୈମାତୃକ ମନୋଭାବ କଣ ପାଇଁ ? ଯଦି ଏହି ୬ ଏକର ଜାଗା ସରକାରଙ୍କର ଅଧିନରେ ନଥିଲା ତେବେ ପନ୍ଦର ବର୍ଷ ପୂର୍ବେ ସରକାରୀ ଯୋଜନା ମାଧ୍ୟମରେ ଆଦିବାସୀ ମାନଙ୍କ ପାଇଁ କେମିତି ପୋଖରୀ ଖୋଳାଯାଇ ଥିଲା ? ସରକାରଙ୍କର ପନ୍ଦର ବର୍ଷ ପରେ ନିତିନିୟମ ବଦଳି ଗଲା ନା କାହା ଚାପରେ ଚେପା ହୋଇଗଲା ପ୍ରଶାସନ ? କଣ ଏମାନେ ଆଦିବାସୀ ମଳି ମୁଣ୍ଡିଆ ବୋଲି ଏମାନଙ୍କୁ ସରକାରଙ୍କ ପୋଖରି ଓ ଖେଳପଡିଆ ବ୍ୟବହାର କରିବା ମନା ?

ଗାଁ ଲୋକଙ୍କ କହିବା କଥା ଏହି ପ୍ରଭାଶାଳୀ ଜମି ମାଲିକ ବୋଲାଉ ଥିବା ବ୍ୟକ୍ତି ଓ ତହସିଲ କାର‌୍ୟ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କ ମିଲି ଭଗତରେ ଏ ପ୍ରକାର ସରକାରୀ ଜମି ହଡପ ପାଇଁ ଯୋଜନା ହୋଇଛି । ଅନ୍ୟପଟେ ପୋଖରୀକୁ ଗାଧେଇବା ପାଇଁ ବନ୍ଦ କରି ଦେଇ ଥିବାରୁ ଗାଁ ଲୋକମାନେ ଟିହିଟିହି ଖରାରରେ ଦୁଇ କିଲୋମିଟର ମାଙ୍କଡା ନଦୀକୁ ଗାଧେଇ ଯିବା ଏକ ବିଡମ୍ବନାର ବିଷୟ ପାଲଟିଛି । ଏହା ମଧ୍ୟରେ ଗତକାଲି ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ ଓ ଗୁରୁଚରଣ ହେମ୍ବ୍ରମଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ନିଜର ହକର ଲଢେ଼ଇ ପାଇଁ ତହସିଲ କାର‌୍ୟ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରିବା ସହ , ତହସିଲ ଅଧିକାରୀ ଉପସ୍ଥିତ ନଥିବାରୁ ଦିର୍ଘ ସମୟ ଧରି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଆଦିବାସୀମାନେ ନିଜର ନ୍ୟାର‌୍ୟ୍ୟ ଦାବି ଓ ହକ ପାଇଁ ଏ ଲଢେ଼ଇକୁ ଆହୁରି ଯୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts