ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକରୁ ପୁଣି ଜବତ ହେଲା ନକଲି ଔଷଧ । ୧୩୫୦ ଷ୍ଟ୍ରିପ ନକଲି ଟେଲମା-୪୦ ଔଷଧ ଜବତ ହୋଇଛି । ଏହି ନକଲି ଔଷଧ ବିହାରରୁ ଓଡିଶା ଆସୁଥିବା ଜଣାପଡିଛି । ଓଡିଶାକୁ ଆଣୁଥିବା ଟ୍ରାନ୍ସପୋର୍ଟ ଏଜେନ୍ସି ଉପରେ ପୋଲିସ ଚଢାଉ କରିଛି ଓ ଟ୍ରାନ୍ସପୋର୍ଟ ଏଜେନ୍ସି ମ୍ୟାନେଜରକୁ ଅଟକ ରଖି ପଚରାଉଚରା କରୁଛି ।

ସେପଟେ ନକଲି ଔଷଧ କାରବାରର ତନାଘନା ଆରମ୍ଭ ହୋଇଛି ।ଏହି ମାମଲାର ମାଷ୍ଟରମାଇଣ୍ଡ ବିହାର ଗୟାର ବାଲାଜୀ ଡ୍ରଗସ ଓ ବେଙ୍ଗାଲୁରୁ ଶିବାଜୀନଗରର ଶ୍ରୀ ବାଲାଜି ଏଜେନ୍ସିର ବୈଧତା ଯାଂଚ ପାଇଁ ଡ୍ରଗ୍ସ କଂଟ୍ରୋଲରଙ୍କୁ ଚିଠି ଲେଖିଛନ୍ତି କମିଶନରେଟ୍ ପୋଲିସ । ଏହି ଦୁଇଟି ସଂସ୍ଥାର ଡ୍ରଗ୍ସ ଲାଇସେନ୍ସ, ଜିଏସଟି ଇତ୍ୟାଦି ଯାଂଚ କରି ତଥ୍ୟ ଦାଖଲ କରିବାକୁ ଚିଠିରେ ଦର୍ଶାଯାଇଛି । ସୂଚନା ଅନୁସାରେ ଗଲା ୬ ମାସ ହେବ ବିହାର ଓ କର୍ଣ୍ଣାଟକରୁ ନକଲି ଟେଲମା-୪୦ ଓ ଟେଲମା ଏ.ଏସ ଆମଦାନୀ କରି କଟକ ଓ ଭୁବନେଶ୍ୱରକୁ ଚାଲାଣ କରୁଥିଲେ ଔଷଧ ମାଫିଆ ରାହୁଲ ଓ ସଂଜୟ ।

ପୁରୀଘାଟ ଥାନା ପୋଲିସ ବର୍ତମାନ ସୁଦ୍ଧା ଦୁଇ ସହରର ୫ଜଣ ରିଟେଲରଙ୍କୁ ଠାବ କରିଛି । କିନ୍ତୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି । ଏହାକୁ ନଜରେ ରଖି ରାହୁଲ ଓ ସଂଜୟଙ୍କ ମୋବାଇଲର ସିଡିଆର, ସର୍ଭିସ ପ୍ରୋଭାଇଡ଼ର ମାଗିଛି ପୋଲିସ । ରାଜ୍ୟ ବାହାରୁ ଔଷଧ ଆମଦାନୀ ପରଠାରୁ ଏହି ଦୁଇ ଜଣ କେଉଁମାନଙ୍କ ସହିତ ଯୋଗାଯୋଗରେ ଥିଲେ, ସେମାନଙ୍କୁ ଠାବ କରିବାକୁ ପୁଲିସ ସିଡିଆର ମାଗିଛି । ଏହି ସିଡ଼ିଆର ଆସିଲେ ରାଜ୍ୟର କେଉଁମାନେ ନକଲି ଔଷଧ କିଣୁଥିଲେ, ସେନେଇ ଲମ୍ବା ତାଲିକା ପୋଲିସ ହାତରେ ଲାଗିପାରିବ ବୋଲି କୁହାଯାଉଛି ।