‘ଚାଲିବା ଦ୍ୱାରା ଭୋଟ ମିଳୁଥିଲେ, ମେଣ୍ଢା ଚରାଳୀ ଆଜି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ’; ଭାରତ ଯୋଡୋ ଯାତ୍ରାକୁ ନେଇ କଂଗ୍ରେସ ବିଧାୟକଙ୍କ କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିଛି କଂଗ୍ରେସ। ଦଳ ଏହି ଯାତ୍ରାରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିବ। କଂଗ୍ରେସର ଏହି ଯାତ୍ରାକୁ ବିରୋଧୀ ସମାଲୋଚନା କରିଥିବା ‌ବେଳେ ଏବେ କଂଗ୍ରେସର ଜଣେ ବିଧାୟକ ଦଳର ଏହି ଯାତ୍ରାକୁ ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ଭାଇ ଲକ୍ଷ୍ମଣ ସିଂ କହିଛନ୍ତି ଯେ, କେବଳ ଚାଲିବା ଦ୍ୱାରା ଭୋଟ୍ ବୃଦ୍ଧି ହେବ ନାହିଁ। ସେ କଟାକ୍ଷ କରି ଆହୁରି କହିଛନ୍ତି ଯେ, ଯଦି କେବଳ ଚାଲିବା ଦ୍ୱାରା ଭୋଟ ମିଳୁଥାନ୍ତା ତେବେ ମେଣ୍ଢା ଚରାଳୀ ପ୍ରଧାନମନ୍ତ୍ରୀ ହୋଇଯାଇଥାନ୍ତେ। ଏହି ଯାତ୍ରା ଆରମ୍ଭ କରିବାରେ ଦଳ ବିଳମ୍ବ କରିଦେଇଛି ବୋଲି ସେ କହିଛନ୍ତି।

ଗୋଟିଏ ପଟେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ସଂକଳ୍ପ ନେଇଥିବା ବେଳେ ଦଳର ବିଧାୟକ ଲକ୍ଷ୍ମଣ ସିଂ ଏନେଇ କହିଛନ୍ତି ଯେ, ରାହୁଲଙ୍କ ଉପରେ ଚାପ ପକାଯିବା ଉଚିତ୍ ନୁହେଁ। ଲକ୍ଷ୍ମଣ ସିଂ ‘ଭାରତ ଯୋଡୋ ଯାତ୍ରା’ର ଉଦ୍ଦେଶ୍ୟକୁ ପ୍ରଶଂସା କରିଥିବା ବେଳେ ଏହି ଯାତ୍ରା କରିବାରେ କଂଗ୍ରେସ ବିଳମ୍ବ କରିଥିବା କହିଛନ୍ତି। ସେ କହିଛନ୍ତି ‌ଯେ, ଏବେ ଭାରତ ଯୋଡୋ ଯାତ୍ରା କରିବା ଦ୍ବାରା ଇଡିର ଚଢ଼ଉ ପରେ କଂଗ୍ରେସ ଏଭଳି କରିଥିବା ଲୋକେ କହିବା ଆରମ୍ଭ କରିଛନ୍ତି। କିନ୍ତୁ ପ୍ରକୃତ କଥା ହେଲା ଏହି ଯାତ୍ରା କରିବା ପାଇଁ କଂଗ୍ରେସ ପୂର୍ବରୁ ଯୋଜନା କରିଥିଲା। ହେଲେ ସମୟ ମିଳୁନଥିବାରୁ ଏବେ ଏହାର ଆୟୋଜନ କରାଯାଇଛି। ଇଡି ଚଢ଼ଉ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।

Related Posts