ପିପିଲିରେ ରାଜନୈତିକ ହିଂସାକାଣ୍ତ: ବିଳମ୍ବିତ ରାତିରେ କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୁତ୍ତ

ପିପିଲି: ପଂଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି | ବଡ ବଡ ରାଜନେତା ମାନେ ନିର୍ବାଚନୀ ପ୍ରଚାର ମୈଦାନ କୁ ଓଲ୍ଲାହିଁ ପ୍ରଚାର କୁ ଜୋର ଦାର କରିଥିବା ବେଳେ, ଏବେ ପିପିଲିରୁ ଆସିଛି ନିର୍ବାଚନୀ ହିଂସା ଖବର |

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଇଛନ୍ତି। ଏହି ଘଟଣାରେ ବିଜେଡିର ହାତ ଥିବା ନେଇ କଂଗ୍ରେସର ପିପିଲି ନଗରପାଳ ପ୍ରାର୍ଥୀ ଗୁଣନିଧି ପ୍ରଧାନ। ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଏଘଟଣା ସଂପର୍କରେ ଥାନାରେ ଏତଲା ଦିଆଯାଇନାହିଁ। କିନ୍ତୁ ଘଟଣାକୁ ସମ୍ବେଦନଶୀଳ ମନେ କରି ଏବଂ କାଳେ ଏହା ନିର୍ବାଚନୀ ହିଂସାକୁ ତୀବ୍ର ରୂପ ଦେବ ଏଭଳି ଆଶଙ୍କା କରି ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଘଟଣାକୁ ନେଇ ୭ ନମ୍ବର ୱାର୍ଡରେ ଚାପା ଉତ୍ତେଜନା ଦେଖାଦେଇଛି।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ତ ଘଟିଥିଲା। ଏଥିରେ ୨୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ବିଜେଡି ପ୍ରାର୍ଥୀ ଧରଣୀଧର ସାହୁ ଓ ବିଜେପି କର୍ମୀ ବିକ୍ରମ ସ୍ବାଇଁ ଗୁରୁତର ଆହତ ହୋଇଥିଲେ। ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ଦାବିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ସାହୁଙ୍କର ସମର୍ଥକ ଓ ବିଜେଡି କର୍ମୀମାନେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ତେଇଶିପୁରଠାରେ ୧ ଘଣ୍ଟା ଧରି ଅବରୋଧ କରିଥିଲେ |

ପିପିଲି ବ୍ଲକ୍ ଅନ୍ତର୍ଗତ ୨୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ବିଜେଡି ପ୍ରାର୍ଥୀ ଧରଣୀଧର ସାହୁ ସୋମବାର ସନ୍ଧ୍ୟାରେ ପୋଟଳ ଗ୍ରାମରେ ଭୋଟ୍ ପ୍ରଚାର କରୁଥିଲେ। ଏହି ସମୟରେ ବିରୋଧୀ ଗୋଷ୍ଠୀର କେତେକ ଯୁବକ ସେଠାରେ ପହଞ୍ଚି ଶ୍ରୀ ସାହୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏଥିରେ ଶ୍ରୀ ସାହୁ ଆହତ ହୋଇଥିଲେ। ଶ୍ରୀ ସାହୁଙ୍କୁ ଚିକିତ୍ସା ଲାଗି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ତାଙ୍କ ସମର୍ଥକମାନେ ତେଇଶିପୁରସ୍ଥିତ ପୋଡଙ୍ଗ ଗ୍ରାମ୍ୟଛକ ନିକଟରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ସନ୍ଧ୍ୟା ସାଢେ ୬ଟାରୁ ଅବରୋଧ କ଼ରିଥିଲେ। ଏଣେ ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ବିକ୍ରମ ଆହତ ହୋଇଥିବା ସୂଚନା ମିଳିଛି |

Related Posts