ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଖଦାନ ଲିଜ ଦେବାରେ ଗିରଫ ପୂଜା ସିଂଘଲଙ୍କର ଭୂମିକା ଥିଲା: ଇଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଖଦାନ ଲିଜ ଦେବାରେ ଗିରଫ ପୂଜା ସିଂଘଲଙ୍କର ଭୂମିକା ଥିଲା ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ହାଇକୋର୍ଟଙ୍କୁ କହିଛି। ଏ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟ ଝାଡ଼ଖଣ୍ଡ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ଅଛି: ଉପରୋକ୍ତ ତଥ୍ୟାବଳୀ ୭ ନମ୍ବର ଅଭିଯୁକ୍ତଙ୍କୁ ଖଦାନ ଲିଜ୍‌ ଆବଣ୍ଟନ ଦିଆଯାଇଥିବା ପ୍ରସଙ୍ଗ ସହ ଜଡ଼ିତ, ଯାହା ୨୦୨୨ର ‘ଡବ୍ଲୁ.ପି. (ପିଆଇଏଲ୍‌) ନମ୍ବର ୭୨୭ର ବିଷୟବସ୍ତୁ। ମୁଖ୍ୟମନ୍ତ୍ରୀ ପଦବୀରେ ଥାଇ ନିଜ ନାମରେ ପଥର ଖଦାନ ଲିଜ୍‌ ଆବଣ୍ଟନ ପାଇଥିବା ହେତୁ ହେମନ୍ତ ସୋରେନ୍‌ଙ୍କ ବିରୋଧରେ ‘ସିବିଆଇ’ ତଦନ୍ତ କରାଯାଉ ବୋଲି ଅଭିଯୋଗକାରୀ ଶିବଶଙ୍କର ଶର୍ମା ପିଟିସନ୍‌ରେ ଦାବି କରିଥିଲେ।

ଖଦାନ ଲିଜ୍‌ ଦିଆ ଯାଇଥିବା ମାମଲାରେ ହେମନ୍ତ ସୋରେନ୍‌ଙ୍କ ବିରୋଧରେ କାହିଁକି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତା’ର କୈଫିୟତ୍‌ ଦେବା ଲାଗି ମଧ୍ୟ ତାଙ୍କୁ ଭାରତର ନିର୍ବାଚନ କମିସନ୍‌ ପଚାରିଥିଲେ। ଜାଲ୍‌ କମ୍ପାନି, ସୋରେନ୍‌ଙ୍କୁ ଖଦାନ ଲିଜ୍‌ ମିଳିବା, ‘ମନରେଗା’ ଦୁର୍ନୀତି ଆଦି ବିରୋଧରେ ଦାଖଲ ହୋଇଥିବା ପିଟିସନ୍‌ଗୁଡ଼ିକର ଝାଡ଼ଖଣ୍ଡ ହାଇକୋର୍ଟ ଶୁଣାଣି କରୁଛନ୍ତି। ମେ ୨୪ ତାରିଖ ଦିନ ଅଦାଲତ ଏହି ମାମଲାର ରାୟ ଶୁଣାଇବେ। ଏହାଛଡ଼ା, ଆଜି ମଧ୍ୟ ସୁପ୍ରିମ୍‌ କୋର୍ଟ ସୋରେନ୍‌, ତାଙ୍କ ପରିବାରବର୍ଗ ଓ ସହଯୋଗୀମାନଙ୍କଦ୍ବାରା ପରିଚାଳିତ ଜାଲ୍‌ କମ୍ପାନିଗୁଡ଼ିକୁ ମିଳିଛି ବୋଲି କୁହାଯାଉଥିବା ଖଦାନ ଲିଜ୍‌ ତଦନ୍ତ ସମ୍ବନ୍ଧୀୟ ଆବେଦନର ଶୁଣାଣି କରିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts