ନିର୍ବାଚନୀ ପରବର୍ତ୍ତୀ ହିଂସା: ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା ଘଟଣା; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷୋଭ ପ୍ରକାଶ

ଭୁବନେଶ୍ବର: ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ | ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ |
ଯାହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ଧର୍ମେନ୍ଦ୍ର ପ୍ରଧାନ ନିଜର ଟ୍ୟୁଟରରେ ଲେଖିଛନ୍ତି, ଅନୁଗୋଳ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଓ ଏଥିରେ ଛେଣ୍ଡିପଦା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଖବର ଜାଣି ମୁଁ ଦୁଃଖିତ ଓ ମର୍ମାହତ।

ପଞ୍ଚାୟତ,ପୌର ନିର୍ବାଚନ ଓ ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ, ଯାହା ଓଡ଼ିଶା ପାଇଁ ଚିନ୍ତାର ବିଷୟ। ରାଜନୀତିରେ ହିଂସାର ସ୍ଥାନ ନାହିଁ ଏବଂ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ଯୋଡ଼ିବା କଥା କହି ଅନ୍ୟ ପକ୍ଷରେ ହିଂସା କରି ବିରୋଧୀ ରାଜନୈତିକ ଶକ୍ତିଙ୍କୁ ହିଂସାରେ ଶେଷ କରିଦେବାର ଅଲିଖିତ ଘୋଷଣାନାମା ପରି ପରିସ୍ଥିତି ରାଜ୍ୟରେ ସୃଷ୍ଟି ହୋଇଛି।

ଛେଣ୍ଡିପଦା ସମେତ ସାରା ରାଜ୍ୟରେ ପ୍ରତିଦିନ ଅସହିଷ୍ଣୁତାର ରାଜନୈତିକ ହିଂସା ଘଟାଉଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୋଲିସ ଓ ପ୍ରଶାସନ ଆଇନ ଅନୁସାରେ ନିରପେକ୍ଷତାର ସହିତ କଠୋର କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଜରୁରୀ।

ସୂଚନାଯୋଗ୍ୟ, ଗ୍ରାମରେ ଦଣ୍ଡନୃତ୍ୟ ଚାଲିଥିଲା ସାଗର ପ୍ରଧାନ(୪୨) ଘର ସମ୍ମୁଖ ରାସ୍ତାକୁ ଲାଗି ଜାମୁଗଛ ପିଣ୍ଡିରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୪ ଟାରେ ଗୋବିନ୍ଦ ସାହୁ(୩୭) ନାମକ ପଡୋଶୀ ଯୁବକ ଟାଙ୍ଗିଆ ଧରି ପିଣ୍ଡି ନିକଟରେ ପହଞ୍ଚି ସାଗର ବେକରେ ଚୋଟ ପକେଇ ହତ୍ୟା କରିଥିଲା। ହତ୍ୟାକାଣ୍ଡ ପରେ ରକ୍ତଭିଜା ଟାଙ୍ଗିଆ ଘରେ ଥୋଇ ଗୋବିନ୍ଦ ଘଟଣାସ୍ଥଳରୁ ଫେରାର ହୋଇଥିଲା |

ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି | ଗାଁରେ ଶୋକାକୁଳ ପରିବେଶ ସହ ଉତେଜେନା ପ୍ରକାଶ ପାଇଛି |

Related Posts