ଆଶ୍ରୟ ନାଁ ରେ ବେପାର: ପୀଡ଼ିତାଙ୍କୁ ଉଦ୍ଧାର କଲା ପୋଲିସ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା | ଆଶ୍ରୟ ଦେବା ନାଁ ରେ ଜଣେ ମହିଳାଙ୍କୁ ଦେଢ ଲକ୍ଷ ଟଙ୍କାରେ ବିକ୍ରି କଲା ଜଣେ ମହିଳା | ଏନେଇ ଖବର ପାଇବା ପରେ ପୋଲିସ ଅଭିଯୁକ୍ତ ମହିଳା କୁ ଗିରଫ କରିବା ସହ ପୀଡ଼ିତାଙ୍କୁ ଉଦ୍ଧାର କରିଛି |

ସୂଚନାଯୋଗ୍ୟ, ଝାରସୁଗୁଡ଼ାର କ୍ରିଷ୍ଣ କୁମାରଙ୍କୁ ସମ୍ବଲପୁର ସାକ୍ଷୀପଡ଼ାର ଜଣେ ଯୁବତୀ ବିବାହ କରିଥିଲେ । ବିବାହ ପରେ ଉଭୟେ ପୁରୁଣାବସ୍ତିର ଏକ ଭଡ଼ାଘରେ ରହୁଥିଲେ । ମାତ୍ର ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ କଳହ ହେବାରୁ ନବବିବାହିତାଜଣକ ପୂର୍ବ ପରିଚିତ ଝାରସୁଗୁଡ଼ା ଭୁଲିଆଟିକ୍ରାର କିରଣ ସେଠୀଙ୍କ ନିକଟକୁ ଯାଇ ରହିଲେ । ଆଉ ଏହି କଳହର ସୁଯୋଗ ନେଲେ ଅନ୍ୟ ଜଣେ ମହିଳା। ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ସାହାରା ଖୋଜୁଥିବା ମହିଳାଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ମହିଳାଜଣକ ହିଁ ଦେଲେ ବିଶ୍ୱାସରେ ବିଷ। ଯାହାକୁ ଘରେ ଆଶ୍ରୟ ଦେଇଥିଲେ, ତାକୁ ସୁଯୋଗ ଦେଖି ରାଜସ୍ଥାନରେ ଦେଢ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ।

ଏପରି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଘଟିଥିବା ବେଳେ ପୁଲିସ୍‌ ସମୁଦାୟ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କିରଣ ସେଠୀ, ହୃଷିକେଶ ସେଠୀ, ଦନିଶ ବେହେରା, ମନୋଜ ପ୍ରଜାପତି ଓ ରଜନୀ ବାଇ । କିରଣ ସେଠୀ, ହୃଷିକେଶ ସେଠୀ, ଦନିଶ ବେହେରା ସଂପୃକ୍ତ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରିଥିଲେ। ରଜନୀ ବାଇ ଦଲାଲ ସାଜି ମନୋଜ ପ୍ରଜାପତି ନାମକ ବ୍ୟକ୍ତିଙ୍କ ସହ ସମ୍ପୃକ୍ତ ମହିଳାଙ୍କୁ ଜୋରଜବରଦସ୍ତ ବିବାହ କରାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପରେ କ୍ରିଷ୍ଣ କୁମାର ପତ୍ନୀଙ୍କୁ ଖୋଜାଖୋଜି କରି କିରଣ ସେଠୀଙ୍କ ଘରେ ପହଞ୍ଚିଲେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲେ। ଇତି ମଧ୍ୟରେ ନବବିବାହିତାଜଣକ ନିଜର ଜଣେ ବନ୍ଧୁ ଅସରଫଙ୍କୁ ଫୋନ୍ କରି କିରଣ, ହୃଷିକେଶ ଓ ଦନିଶ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ତାଙ୍କୁ ବିକ୍ରି କରିଦେଇଥିବା କହିଥିଲେ। ଏପରିକି ସେଠାରେ ଜୋରଜବରଦସ୍ତ ତାଙ୍କ ବିବାହ କରାଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଥିଲେ । ଏହି ଖବର ପାଇବା ପରେ କ୍ରିଷ୍ଣ କୁମାର ଗତ ୭ ତାରିଖରେ ଝାରସୁଗୁଡ଼ା ଟାଉନ ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ଏତଲା ଗ୍ରହଣ କରି ଗତ ୯ ତାରିଖରେ କିରଣ, ହୃଷିକେଶ ଓ ଦନିଶକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ଏହାପରେ ଏକ ଟିମ୍ ରାଜସ୍ଥାନର ନିମୁଚ ଜିଲ୍ଲାର ରମପୁରା ଗାଁରୁ ପୀଡ଼ିତାଙ୍କୁ ଉଦ୍ଧାର କରିଛି । ତା’ସହ ମହିଳାଙ୍କୁ ବିବାହ କରିଥିବା ରାଜସ୍ଥାନର ମନୋଜ ପ୍ରଜାପତି ଓ ଦଲାଲ ରଜନୀ ବାଇକୁ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ଝାରସୁଗୁଡ଼ାକୁ ଆଣିଛି ପୁଲିସ୍‌।

Related Posts