ଆଜି ଶ୍ରୀମନ୍ଦିରରେ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ ଅନୁଷ୍ଠିତ

ପୁରୀ : ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ଏନେଇ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନିତିକାନ୍ତି । ଶ୍ରୀମନ୍ଦିରରେ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ଖବର ଅନୁଯାୟୀ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳବାଳକ ମାନଙ୍କ ସହିତ ଖେଳୁଥିଲେ। ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ୱାସୁର ନାମକ ଜଣେ ମହାବଳଶାଳୀ ଦୈତ୍ୟକୁ କଂସ ପ୍ରେରଣ କରିଥିଲେ। ମହାବଳଶାଳୀ ପ୍ରଳମ୍ୱାସୁର ପ୍ରଭୁ ବଳଭଦ୍ରଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ୱୟଂ ବଳଭଦ୍ର ମହାପ୍ରଭୁ ମୁଷ୍ଟିକା ଘାତ କରି ପ୍ରଳମ୍ୱାସୁରକୁ ବିନାଶ କରିଥିଲେ।

ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। କାଷ୍ଠ, ବେତ, କଳାକନା, ଧଳାକନା ଓ ନୀଳକନାରେ ୪ଫୁଟର ଏକ ବିରାଟକାୟ କାଷ୍ଠ ନିର୍ମିତ ଏହି ପ୍ରଳମ୍ୱାଶୁର ମୂର୍ତ୍ତିକୁ ରତ୍ନସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜାଯାଏ। ପ୍ରଳମ୍ୱାସୁର ବଧ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥିବାବେଳେ ଅସୁରର ସ୍କନ୍ଧ ଏବଂ ଦୁଇ ଭୂଜରେ ପ୍ରଭୁ ଶ୍ରୀ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ହୁଏ। ଏହି ବେଶ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି।

Related Posts