
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱର ଘଟିକିଆ ସ୍ଥିତ ଘରୋଇ ଏପିଜେ ସ୍କୁଲରେ ପିଲା ୫ଘଣ୍ଟା ବନ୍ଦୀ ରହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା । ଏହା ଶିକ୍ଷାର ବିରୁଦ୍ଧାଚରଣ, ଏହି ଘଟଣା ଆଦୌ ଗ୍ରହଣୀୟ ନୁହେଁ । ପିଲାମାନଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି । ଗଣଶିକ୍ଷା ମନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ।ବିଇଓ, ଡିଇଓ ଏବଂ ଭରତପୁର ଆଇଆଇସିଙ୍କ ସହ କଥା ହୋଇଥିବା ମନ୍ତ୍ରୀ କହିଛନ୍ତି । କେବଳ ସେତିକି ନୁହେଁ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି ବୋଲି ସେ କହିଛନ୍ତି ।
ତେବେ ଜଣେ ଅଭିଭାବକଙ୍କ ଅଭିଯୋଗ ମୁତାବକ, ପୁଅ ସବୁଦିନ ଭଳି ଗତକାଲି ସ୍କୁଲ୍କୁ ପାଠ ପଢ଼ିବାକୁ ଯାଇଥିଲା । ମାତ୍ର କର୍ତ୍ତୃପକ୍ଷ କ୍ଲାସରୁମରୁ ପୁଅକୁ ଅଲଗା କରି ଲାଇବ୍ରେରିକୁ ନେଇଯାଇଥିଲେ । ତାଙ୍କ ପୁଅ ସହ ସ୍କୁଲ୍ରେ ପଢ଼ୁଥିବା ଆଉ ୩୩ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଲାଇବ୍ରେରୀ ଘରେ ବନ୍ଦୀ କରି ରଖାଯାଇଥିଲା । ପାଠ ପଢ଼ିବା ସମୟ ଅର୍ଥାତ୍ ୫ଘଣ୍ଟା କାଳ ଉକ୍ତ ରୁମ୍ରେ ବସାଇ ରଖିଥିଲେ । ଏପରିକି ସେମାନଙ୍କୁ ଶୌଚାଳୟ ମଧ୍ୟ ଛାଡ଼ି ନଥିଲେ । ସ୍କୁଲ୍ ଛୁଟି ହେବା ପରେ ପିଲାମାନଙ୍କ ହାତରେ ଏକ ନୋଟିସ୍ ଦେଇଥିଲେ । ସେଥିରେ ସ୍କୁଲ୍ ଫି’ ଶୀଘ୍ର ପୈଠ କରିବାକୁ ଉଲ୍ଲେଖ କରାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକ ମହଲରେ ଜୋରଦାର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ଭରତପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି।