ପ୍ରସନ୍ନ-ରୋହିତଙ୍କ ଆସନ ଅଦଳବଦଳ କଲା ବିଜେଡି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି ବିଜେଡି। ପଞ୍ଚାମ ପର୍ଯ୍ୟାୟ ବିଧାନସଭା ତାଲିକାରେ ନବୀନ ପଟ୍ଟନାୟକଙ୍କ ସମେତ ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ବାକି ଥିବା ଜୟପୁର, ଚିତ୍ରକୋଣ୍ଡା ଆସନ ପାଇଁ ବି ପ୍ରାର୍ଥୀ ଘୋଷଣା ହୋଇଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ରେଢାଖୋଲ ଓ ସେଠାରେ ପ୍ରାର୍ଥୀ ଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ କରିଛି ଦଳ।

ଏହା ସହିତ ବିଜେଡି ମୋଟ ୧୨୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଗତଥର ଭଳି ନବୀନଙ୍କୁ ପଶ୍ଚିମ ଓଡ଼ିଶାର କଣ୍ଟାବାଂଜିରୁ ବିଜେଡି ପ୍ରାର୍ଥୀ କରି ପଶ୍ଚିମ ଓଡ଼ିଶା ଭୋଟକୁ ହାତେଇବାକୁ ଲକ୍ଷ୍ୟ ରଖିଛି। ନବୀନଙ୍କ ଘୋଷଣା ଅନୁସାରେ ଜୟପୁରରୁ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ, ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ସାନଖେମୁଣ୍ଡିରୁ ରାଣୀ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ , ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତରିଆ, ଦେବଗଡ଼ରୁ ଅରୁନ୍ଧତି କୁମାରୀ ଦେବୀ, ନିମାପଡ଼ାରୁ ଦିଲୀପ କୁମାର ନାୟକ ଓ ଅନୁଗୁଳରୁ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ପତ୍ନୀ ସଙ୍ଗୀତା ସିଂଙ୍କୁ ଦଳ ପ୍ରାର୍ଥୀ କରିଛି।

ଉଲ୍ଳେଖଯୋଗ୍ୟ, ଅରୁନ୍ଧତି ଦେବୀ ଓ ଦିଲ୍ଲୀପ ନାୟକ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେହିପରି ରାଜେନ୍ଦ୍ର ଛତରିଆ ମଧ୍ୟ ଦଳ ଡେଇଁ ନିକଟରେ ବିଜେଡିରେ ସାମିଲ ହୋଇଥିଲେ। ଏହି ପ୍ରାର୍ଥୀମାନଙ୍କ ନାମ ଘୋଷଣା ସହ ବିଜେଡି ଏପର୍ଯ୍ୟନ୍ତ ୧୨୬ ଆସନରେ ମୋଟ ୨୮ ଜଣ ମହିଳାଙ୍କୁ ପ୍ରାର୍ଥୀ କରି ସାରିଲାଣି ।

Related Posts