ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବାକୁ ସିଂହଦ୍ୱାରରେ ଜଗିବେ ପ୍ରତିହାରୀ ସେବକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଭିତରକୁ ବିଭିନ୍ନ ସମୟରେ ଅଣହିନ୍ଦୁମାନେ ପ୍ରବେଶ କରୁଥିବା ଖବର ସାମ୍ନାକୁ ଆସୁଛି। ବିଶେଷ କରି ନିକଟରେ ଏଭଳି ଏକଦିକ ଘଟଣା ସାମ୍ନାକୁ ଆସିଛି। ଆଉ ଏବେ ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକମାନଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ।

୧୪ ତାରିଖରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ପଡୁଥିବା ବେଳେ ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ସକାଳେ ଦ୍ୱାର ଫିଟା ସମୟରେ ଓ ସନ୍ଧ୍ୟା ଆରତି ବେଳେ ଦୁଇ ଜଣ ଲେଖାଏଁ ପ୍ରତିହାରୀ ସେବାୟତ ସିଂହଦ୍ୱାର ସମ୍ମୁଖରେ ମୁତୟନ ହେବେ। ପରବର୍ତ୍ତୀ ସମୟରେ ପୂରା ଦିନରୁ ରାତି ପର୍ଯ୍ୟନ୍ତ ପ୍ରତିହାରୀ ସେବାୟତମାନଙ୍କୁ ମୁତୟନ କରାଯିବ।

ପ୍ରତିହାରୀ ନିଯୋଗ ସଂପାଦକ ରାମନାରାୟଣ ଗୋଚ୍ଛିକାର ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରୁ ସିଂହଦ୍ୱାର ପ୍ରତିହାରୀ ସେବା ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିଲା। କେବଳ ରଥଯାତ୍ରା ବେଳେ ସାମୟିକ ଭାବେ ଏହି ସେବା କରାଯାଉଥିଲା। ଏବେ ଏହି ସିଂହଦ୍ୱାର ପ୍ରତିହାରୀ ସେବାକୁ ପୁନଃପ୍ରଚଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପ୍ରଶାସନ ଓ ପ୍ରତିହାରୀ ନିଯୋଗ ମଧ୍ୟରେ ଆଲୋଚନା ହୋଇଛି। ମଝିରେ ମଝିରେ ଶ୍ରୀମନ୍ଦିରରେ ଅଣହିନ୍ଦୁମାନେ ପଶି ଯାଉଛନ୍ତି। ଅଣହିନ୍ଦୁମାନଙ୍କୁ କେବଳ ସେବାୟତମାନେ ହିଁ ଚିହ୍ନଟ କରିପାରୁଛନ୍ତି। ଅଣହିନ୍ଦୁମାନଙ୍କୁ ଚିହ୍ନଟ କରିବାରେ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ପୁଲିସ୍ ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ଟିକେ କଷ୍ଟ ହେଉଛି। କିନ୍ତୁ ପ୍ରତିହାରୀ ସେବାୟତମାନେ ସଙ୍ଗେ ସଙ୍ଗେ ଅଣହିନ୍ଦୁମାନଙ୍କୁ ଚିହ୍ନଟ କରିପାରିବେ ବୋଲି ସେ କହିଛନ୍ତି।

Related Posts