ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟିଲେ ବିନିକା ଅଂଚଳର ଦୃଷ୍ଟିହୀନ ଯୁବକ ପ୍ରେମାନନ୍ଦ: ଘର ଆଉ ଘରଣୀ ଦେବା ଲାଗି କଲେ ଗୁହାରୀ, ଯାହାକୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳର ଦୃଷ୍ଟିହୀନ ଯୁବକ ପ୍ରେମାନନ୍ଦ ସିକା ଏବେ ବେଶ୍ ଚର୍ଚ୍ଚାରେ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟିବା ପର ଠୁ ତାଙ୍କୁ ନେଇ ଏବେ ସବୁଠି ଆଲୋଚନା ।

କଥା ଟା ହେଉଛି, ନିକଟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳର ଦୃଷ୍ଟିହୀନ ଯୁବକ ପ୍ରେମାନନ୍ଦ ସିକା । ଏହି ସମୟରେ ପ୍ରେମାନନ୍ଦ ମନ୍ତ୍ରୀ ଙ୍କ ନିକଟରେ କିଛି ମାଗିଚନ୍ତି, ଯାହାକୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା ।

ପ୍ରେମାନନ୍ଦ ଏବେ ସୋନପୁର ରାଜ କଲେଜ ଯୁକ୍ତ ତିନିର ଛାତ୍ର । ହେଲେ ସେ ବୁଝିଗଲେଣି ଯେ ଜୀବନ ବଞ୍ଚିବାକୁ ହେଲେ ତାଂକୁ ଜୀବନ ସାଥୀଟିଏ ଦରକାର । ଯିଏକି ତାଙ୍କ ସୁଖରେ ଦୁଃଖରେ ସାଥି ହେବ । ତାଙ୍କ ଭଲ ମନ୍ଦ ବୁଝିବା ସହ ତାଙ୍କୁ ରୋଷେଇକରି ଖାଇବାକୁ ଦେବ । ତାଙ୍କ ପାଠପଢାରେ ମଧ୍ୟ ସହଯୋଗ କରିବ । ମନେ ମନେ ଏତେ କଥା ଭାବି ସାରିଥିବା ବେଳେ ଜୀବନସାଥୀ କିଏ ହେବ, ତାକୁ ନେଇ ଦ୍ୱନ୍ଦରେ ଥିବା ପ୍ରେମାନନ୍ଦ ଏହର ସମାଧାନ ପାଇଁ ସିଧାସଳଖ ପହଞ୍ଚିଗଲେ ମନ୍ତ୍ରୀ ପଦ୍ମନାଭ ଦାସଙ୍କ ନିକଟରେ। ଗତକାଲି ସଂଧ୍ୟାରେ ପ୍ରେମାନନ୍ଦ ମନ୍ତ୍ରୀ ପଦ୍ମନାଭ ବେହେରାଂକ ସୋନପୁର ବାସଭବନରେ ପହଞ୍ଚି ତାଙ୍କୁ ଜଣାଇଲେ ନିଜ ଦୁଃଖ । ଭଗବାନ ପ୍ରେମାନନ୍ଦଙ୍କୁ ଆଖି ସିନା ଦେଇନାହାଁନ୍ତି କିନ୍ତୁ ସୁନ୍ଦର କଣ୍ଠିଟିଏ ଦେଇଛନ୍ତି । ଏଣୁ ପ୍ରଥମେ ମନ୍ତ୍ରୀଙ୍କୁ ସେ ଦୁଇ ତିନୋଟି ଭଜନ ଗାଇ ଶୁଣାଇଲେ ।

ମନ୍ତ୍ରୀ ପଦ୍ମନାଭ ବେହେରା ବେଶ୍‌ ସଙ୍ଗୀତପ୍ରିୟ । ମହାଶୟଙ୍କୁ ତାଳ ମାନ ବେଶ୍‌ ଭଲ ଭାବରେ ଜଣା । ଏଣୁ ପ୍ରେମାନନ୍ଦଙ୍କ ମୁହଁରୁ ଗୀତ ଶୁଣିଲା ପରେ ତାଳ ମାନ ଭୁଲ୍‌ ଥିବା କହିବା ସହ ମନ୍ତ୍ରୀ ମହାଶୟ ପ୍ରେମାନନ୍ଦଙ୍କୁ ତାଳ ସଂପର୍କରେ ଜ୍ଞାନ ଦେଲେ। ଏପରିକି କିଛି ଗୀତ ଉଦାହରଣ ସ୍ୱରୁପ ଶୁଣାଇଥିଲେ ।

ସଂଗୀତ ଚର୍ଚ୍ଚା ସରିଗଲା ପରେ କଣ ପାଇଁ ଆସିଛ କୁହ ବୋଲି ପଚାରିଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ମୁହଁରୁ ଏତକ ଶୁଣିଲା ପରେ ପ୍ରେମାନନ୍ଦ ଆରମ୍ଭ କଲେ ନିଜ ତାଲିକା । କହିଲେ, ଆଜ୍ଞା ସରକାରୀ ଯୋଜନାରେ ମୋତେ ଘର ଖଣ୍ଡିଏ କରିଦିଅନ୍ତୁ । ଖାଲି ଘର କଣ ହେବ ଆଜ୍ଞା ଘର ସାଙ୍ଗକୁ ମୋତେ ଘରଣି ଟିଏ ବି କରାଇଦିଅନ୍ତୁ । ଆପଣ ଚାହିଁଲେ ସବୁ ସମ୍ଭବ । ତା’ ସହିତ ଆମ ପଡାରେ ନଳକୁଅ ଗୋଟିଏ ମଧ୍ୟ ଖୋଳିଦିଅନ୍ତୁ ।

ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରେମାନନ୍ଦଙ୍କ କଥା ଶୁଣିଲା ପରେ ହସି ଦେଇ ତୁମ କଥା ବୁଝାଯିବ ବୋଲି କହି ଆଶ୍ଵାସନା ଦେଇଛନ୍ତି । ତେବେ ଏହି କଥା ପ୍ରଘଟ ହେବା ପରେ ଏବେ ଚାରିଆଡ଼େ ଏହାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।

Related Posts