୨୦୨୪ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ; ଅଗଷ୍ଟ ୩ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ନବମ ଶ୍ରେଣୀ ପିଲାଙ୍କ ନାମ ପଞ୍ଜୀକରଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):୨୦୨୪ ମସିହାରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସମସ୍ତ ହାଇସ୍କୁଲ୍‌ରେ ପଢୁଥିବା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ୩ ତାରିଖରୁ ଆରମ୍ଭ ହେବ । ୨୦୨୪ ମସିହାରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ଏହି ପଞ୍ଜୀକରଣ ପ୍ରକ୍ରିୟା ଅନ୍‌ଲାଇନ୍‌ରେ କରାଯିବ । ଏନେଇ ବୋର୍ଡ ପକ୍ଷରୁ ରାଜ୍ୟର ସମସ୍ତ ହାଇସ୍କୁଲ୍‌ ପ୍ରଧାନଶିକ୍ଷକଙ୍କୁ ଅବଗତ କରାଯାଇଛି ।ଆସନ୍ତା ଅଗଷ୍ଟ ୨୨ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀଙ୍କର ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ପାଇଁ ଗତଥର ପଞ୍ଜୀକରଣ ସଂପୂର୍ଣ୍ଣ ଦେୟମୁକ୍ତ କରାଯାଇଥିବାବେଳେ ଏଥର ପଞ୍ଜୀକରଣ ଲାଗି ଛାତ୍ରଛାତ୍ରୀଙ୍କୁ ୬୦ ଟଙ୍କା ଫି’ ଦେବାକୁ ପଡ଼ିବ । ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ କୌଣସି ଫି’ ଦେବେ ନାହିଁ । ସେହିପରି ନବମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ-୧ (ଏସ୍‌ଏ-୧) ପରୀକ୍ଷା ଲାଗି ଫର୍ମପୂରଣ ପ୍ରକ୍ରିୟା ମଧ୍ୟ ସେହି ୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ଶେଷ ହେବ। ଏହାର ଫର୍ମପୂରଣ ବାବଦକୁ ୧୦୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି ।ଅନ୍ୟପକ୍ଷରେ ଯେଉଁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ନାମ ପଞ୍ଜିକୃତ କରିବେ ନାହିଁ ସେମାନେ ନବମ ଶ୍ରେଣୀର ଦୁଇଟି ଯାକ ସମେଟିଭ୍‌ ଆସେସ୍‌ମେଣ୍ଟ ପରୀକ୍ଷା ସହ ଆସନ୍ତା ୨୦୨୪ରେ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ଦେଇପାରିବେ ବୋଲି ନାହିଁ ବୋର୍ଡ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ସଂସ୍କୃତ ମଧ୍ୟମା ପଢୁଥିବା ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ମଧ୍ୟ ଆସନ୍ତା ୩ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ନିଜ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟଙ୍କ ଦ୍ୱାରା ଆଞ୍ଚଳିକ କାର୍ଯ୍ୟାଳୟରେ ଅଫ୍‌ଲାଇନ୍‌ ମାଧ୍ୟମରେ ଧାର୍ଯ୍ୟ ଦେୟ ଜମା କରି ନାମ ପଞ୍ଜୀକରଣ କରାଇବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ଲାଗି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୩ ତାରିଖରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ସେମାନଙ୍କ ନାମ ଏବଂ ଠିକଣା ନିର୍ଭୁଲ୍‌ ଭାବେ ପଞ୍ଜୀକରଣ କରାଇବେ । ପଞ୍ଜୀକରଣରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ସଜାଗ ରହିବାକୁ ପ୍ରଧାନ ଶିକ୍ଷକମାନଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ଲାଗି ବୋର୍ଡ ପକ୍ଷରୁ ଅନ୍‌ଲାଇନ୍‌ ଲିଙ୍କ୍‌ ମଧ୍ୟ ଜାରି କରାଯାଇଛି।

Related Posts