“ରାଷ୍ଟ୍ରପତ୍ନୀ” ବିବାଦ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧିର ରଞ୍ଜନ ଚୌଧରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ନେଇ କ୍ଷମା ମାଗିଛନ୍ତି କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଦୁରୀ । ଅଧିର ରଞ୍ଜନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ନିଜ “ରାଷ୍ଟ୍ରପତ୍ନୀ” ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ନିଜ ଚିଠିରେ ଅଧିର ଲେଖିଛନ୍ତି “ଆପଣଙ୍କ ପଦକୁ ନେଇ ଏକ ଭୁଲ ଶବ୍ଦ ବ୍ୟବହାର କରିଥିବାରୁ ମୁଁ ଦୁଃଖ ପ୍ରକାଶ କରୁଛି । ମୁଁ ଉଦେଶ୍ୟ ମୂଳକ ଭାବେ ଏହି ଶବ୍ଦ ପ୍ରୟୋଗ କରିନାହିଁ ଏହ କେବଳ ସ୍ଲିପ ଅଫ ଟଙ୍ଗ । ଏହି ଘଟଣାକୁ ନେଇ ମୁଁ କ୍ଷମା ମାଗୁଛି ଏବଂ ଆପଣ ମୋ କ୍ଷମା ପ୍ରାର୍ଥନା ଗ୍ରହଣ କରିବାକୁ ଅନୁରୋଧ କରୁଛି।”

ସୂଚନା ଥାଉକି ସୋନିଆ ଗାନ୍ଧିଙ୍କୁ ଇଡି ଜେରା କରିବା ପ୍ରତିବାଦ ରେ କଂଗ୍ରେସ ତରଫରୁ ବିରୋଧ ପ୍ରଦର୍ଶନ କରାଯାଉଥିଲା। ଏହି ବିରୋଧ ବେଳେ ଅଧିର ରଞ୍ଜନ ଓ ଆଉ କିଛି କଂଗ୍ରେସ ନେତା ରାଷ୍ଟ୍ରପତି ଭବନ ଆଡ଼କୁ ବିରୋଧ କରିବାକୁ ଅଗ୍ରସର ହେଉଥିଲେ। ଏହି ସମୟରେ ପୁଲିସ ତାଙ୍କୁ ବିଜୟ ଚୌକ ନିକଟରେ ଅଟକାଇ ଥିଲା ଓ ସେହି ସମୟରେ ଏକ ଘରୋଇ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଅଧିର ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ରୂପେ ସମ୍ବୋଧନ କରିଥିଲେ। ତେବେ ଏହି ମନ୍ତବ୍ୟ ସାମ୍ନାକୁ ଆସିବ ପରେ ବିଜେପି ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା ଓ ଏହି ଘଟଣାକୁ ନେଇ ଗତକାଲି ଲୋକସଭାରେ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ ଏବଂ ଘଟଣା ପାଇଁ ସୋନିଆ କ୍ଷମା ମାଗିବା ସହିତ ଅଧିର ରଞ୍ଜନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଆଜି ଦିନ ତମାମ ମଧ୍ୟ ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ ବିରୋଧ ଜାରି ରହିଥିଲା। ଶେଷରେ ଅଧିର ଏହି ଘଟଣାକୁ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି।

Related Posts