ରାଷ୍ଟ୍ରପତି ନିର୍ବାଚନ; ଏଣିକି ବିଧାୟକ, ସାଂସଦ ଯେକୌଣସି ରାଜ୍ୟରେ ଭୋଟ ଦେଇ ପାରିବେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ।ତେବେ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଜୁନ୍ ୨୯ ଥିବାବେଳେ ଜୁଲାଇ ୨ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ। ସେପଟେ ଯଦି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆବଶ୍ୟକ ପଡ଼େ ତେବେ ଜୁଲାଇ ୧୮ତାରିଖରେ ସଂସଦ ସମେତ ବିଭିନ୍ନ ରାଜ୍ୟରେ ସକାଳ ୧୦ଟାରୁ ୫ଟା ପର‌୍ୟ୍ୟନ୍ତ ଭୋଟ୍ ଗ୍ରହଣ ହେବ। ମୋଟ୍ ୩୧ଟି ସ୍ଥାନରେ ମତଦାନ ହେବ। ଚଳିତ ରାଷ୍ଟ୍ରପତି ନିର୍ବାଚନ ପାଇଁ ନୂଆ ନିୟମ ହୋଇଛି। ସାଧାରଣତଃ ସାଂସଦମାନେ ନୂଆଦିଲ୍ଲୀରେ ଏବଂ ବିଧାୟକମାନେ ନିଜ ନିଜ ରାଜ୍ୟରେ ଭୋଟ୍ ଦେଉଥିଲେ ହେଁ ଏଥର ସାଂସଦମାନେ ସଂସଦରେ କିମ୍ବା ଯେକୌଣସି ରାଜ୍ୟ/ ଦିଲ୍ଲୀ/ ପୁଡୁଚେରିରେ ଭୋଟ୍ ଦେଇପାରିବେ।

ସେହିପରି ବିଧାୟକମାନେ ଅନ୍ୟ ରାଜ୍ୟରେ କିମ୍ବା ଦିଲ୍ଲୀରେ ଭୋଟ୍ ଦେଇପାରିବେ। ହେଲେ ଏଥିପାଇଁ ମତଦାନର ୧୦ଦିନ ପୂର୍ବରୁ ନିର୍ବାଚନ କମିସନଙ୍କୁ ଜଣାଇବାକୁ ପଡ଼ିବ। ଅନ୍ୟପଟେ ଯଦି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆବଶ୍ୟକ ପଡ଼େ ତେବେ ଓଡ଼ିଶା ବିଧାନସଭାର ପ୍ରଥମ ମହଲାରେ ଥିବା ୫୪ ନଂ ପ୍ରକୋଷ୍ଠରେ ମତଦାନ ହେବ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts