ନିର୍ବାଚନ କମିଶନ୍ ଆଣିଲେ ନୂଆ ‘ରିମୋଟ ଭୋଟିଂ ମେସିନ୍’; ଦେଶର ଯେକୌଣସି ସ୍ଥାନରେ ଥାଇ ଭୋଟ୍‌ ଦେଇ ପାରିବେ ପ୍ରବାସୀ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଦେଶର ଅନ୍ୟ ରାଜ୍ୟ ଓ ସହରରେ ରହି କାମ କରୁଥିବା ପ୍ରବାସୀଙ୍କୁ ମତାଧିକାର ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନ୍ ପ୍ରୋଟୋଟାଇପ୍ ରିମୋଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା (ଆରଭିଏମ୍)’ ପ୍ରସ୍ତୁତ କରିଛନ୍ତି। ୧୬ ଜାନୁଆରୀ ୨୦୨୩ରେ ଆୟୋଗ ଆରଭିଏମର କାମ କରିବା ଶୈଳୀ ବିଷୟରେ ସୂଚନା ଦେବାପାଇଁ ସମସ୍ତ ଦଳଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ସମୟରେ ଆୟୋଗଙ୍କର ଟେକନିକାଲ ଟିମ୍ ଏବଂ ବିଶେଷଜ୍ଞ ମଧ୍ୟ ସେଠାରେ ଉପସ୍ଥିତ ରହିବେ। ଏହା କେଉଁ ଭଳି ପରିଚାଳନା ହେବ ସେ ବାବଦରେ ଅବଗତ କରାଯିବ। ଯଦି ଏହି ଟେକ୍ନୋଲୋଜି ଲାଗୁ ହୁଏ, ତେବେ ଘରଠାରୁ ଦୂରକୁ ଯାଇ ପଢୁଥିବା ଓ କାମ କରୁଥିବା ଲୋକ ଭୋଟ୍‌ ଦେବାର ସୁବିଧା ପାଇ ପାରିବେ। ନିର୍ବାଚନ କମିଶନ୍‌ର ଏହି ଟେକ୍ନୋଲୋଜିର ପ୍ରଦର୍ଶନ କରିବେ ଓ ପୁଣିଥରେ ସବୁ ଦଳଠାରୁ ପ୍ରତିକ୍ରିୟା ମାଗିବେ।

ତେବେ ଗୁରୁବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ‘ଘରଠାରୁ ଦୂରରେ ରହି ଭୋଟ ଦେବାର ପ୍ରଣାଳି ପାଇଁ ଏମ୍‌୩ ଇଭିଏମ୍‌ର ବିକଳ୍ପ ଉପରେ ଖୁବ୍ କାମ କରାଯାଇଛି। ଏହି କାରଣରୁ ପ୍ରବାସୀ ଓ ଛାତ୍ରଙ୍କୁ ଭୋଟ ଦେବା ପାଇଁ ଲମ୍ବା ଯାତ୍ରା କରି ଘରକୁ ଆସିବାର ଦରକାର ପଡିବନି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ନିର୍ବାଚନ କମିଶନ୍ ଅନୁପ ଚନ୍ଦ୍ର ପାଣ୍ଡେ ଓ ଅରୁଣ ଗୋୟଲ ପ୍ୟାନେଲ ୮ଟି ରାଷ୍ଟ୍ରୀୟ ଦଳ ଓ ୫୭ ରାଜ୍ୟସ୍ତର ଦଳକୁ ଏହି ଡେମୋ ପାଇଁ ନିମନ୍ତ୍ରଣ କରିଛନ୍ତି। ନିର୍ବାଚନ କମିଶନ୍ କହିଛନ୍ତି, ଯଦି ଏହି ପଦକ୍ଷେପ ସଫଳ ହୁଏ ତେବେ ସମାଜରେ ବଡ ପରିବର୍ତ୍ତନ ହେବ ଓ ପ୍ରବାସୀମାନେ ମଧ୍ୟ ନିଜର ମୂଳ ସହିତ ସହଜରେ ଯୋଡି ହୋଇ ପାରିବେ।

Related Posts