ରାଷ୍ଟ୍ରପତି ନିର୍ବାଚନ: ପ୍ରମୁଖ ବିରୋଧୀ ନେତାଙ୍କ ସହ ଟେଲିଫୋନ୍‌ରେ କଥା ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ଶାସକ ଓ ବିରୋଧୀ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ଉଦ୍ୟମ ଆରମ୍ଭ ହୋଇଛି।

ଏହି କ୍ରମରେ ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଅନେକ ପ୍ରମୁଖ ବିରୋଧୀ ନେତାଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି।

ଭାରତୀୟ ଜନତା ପାର୍ଟି ଦଳର ବରିଷ୍ଠ ନେତା ରାଜନାଥ ସିଂ ଏବଂ ଦଳର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ସହମତି ସୃଷ୍ଟି କରିବା ପାଇଁ ଅନ୍ୟ ଦଳମାନଙ୍କ ସହ ବିଚାର ଆଲୋଚନା ତଥା ପରାମର୍ଶ କରିବାକୁ ଅଧିକୃତ କରିଛି।

ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ୧୭ ଟି ବିରୋଧୀ ଦଳର ନେତାମାନେ ଏକ ବୈଠକରେ ଏକତ୍ରିତ ହୋଇ ମିଳିତ ବିରୋଧୀ ପ୍ରାର୍ଥୀଙ୍କ ଉପରେ ସହମତି ସୃଷ୍ଟି କରିବାକୁ ଆଲୋଚନା କରିବା ପରେ ବିଜେପି ପକ୍ଷରୁ ଏହି ଉଦ୍ୟମ ଆରମ୍ଭ ହୋଇଛି।

ମମତା ବାନାର୍ଜୀଙ୍କ ଦ୍ୱାରା ଡକା ଯାଇଥିବା ବିରୋଧୀ ଦଳର ବୈଠକ ସମୟରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନ୍ୟାସନାଲ କନଫରେନ୍‌ସ (ଏନସି) ସୁପ୍ରିମୋ ଫାରୁକ ଅବଦୁଲ୍ଲା ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା। ଅନ୍ୟପକ୍ଷରେ ଏନସିପି ମୁଖ୍ୟ ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରି ଦେଇଥିଲେ।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ବୁଧବାର ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବ। ଏହା ପୂର୍ବରୁ ଜୁଲାଇ ୨୧ରେ ଫଳାଫଳ ଘୋଷଣା କରାଯାଇ ନୂତନ ରାଷ୍ଟ୍ରପତି ଶପଥ ନେବେ ।

Related Posts