ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ୮ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର ରାଜଧାନୀରେ ବିଶାଳ ବିକ୍ଷୋଭ ସମାବେଶ। ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଲୋୟର ପିଏମଜି ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ବିଶାଳ ରାଲିରେ ଯାଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ଏହି ଶିକ୍ଷକ ମାନେ ଲୋୟର ପିଏମଜିରୁ ବିଧାନସଭା ଆଡ଼କୁ ମୁହାଁଇବାରୁ ପୁଲିସ ସେମାନଙ୍କୁ ଅଟକାଇଛି। ଫଳରେ ଆନ୍ଦୋଳନରତ ଶିକ୍ଷକ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।
ତେବେ ବିକ୍ଷୋଭର ନେତୃତ୍ୱ ନେଇଥିବା ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାର ତୁରନ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ଡେପୁଟେସନ ବାତିଲ କରି ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ କରନ୍ତୁ। ଏଥିସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରନ୍ତୁ। ଏଡାଛଡ଼ା ସମସ୍ତଙ୍କୁ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରନ୍ତୁ। ଫଳରେ ସମସ୍ତ ଶିକ୍ଷକ ନ୍ୟାୟ ପାଇବେ। ସରକାର ଦାବିପୂରଣ ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଶ୍ରୀନାୟକ କହିଛନ୍ତି।
ତେବେ ଏନେଇ କୌଣସି ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
