ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ସଂଘାଇ ସହଯୋଗ ସମ୍ମିଳନୀ (ଏସସିଓ)ରେ ଅଂଶଗ୍ରହଣ କରି ମୋଦି ଦେଶର ଜାତୀୟ ସ୍ବାର୍ଥ ପ୍ରତି ବିଶ୍ବାସଘାତକତା କରିଛନ୍ତି ବୋଲି ସ୍ବାମୀ କହିଛନ୍ତି। ଏହି ଏସସିଓ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମୋଦି ସାକ୍ଷାତ କରିଥିଲେ । ତେବେ ଜିନପିଙ୍ଗ ସମ୍ମିଳନୀରେ ଚୀନର ଯେଉଁ ମାନଚିତ୍ର ପ୍ରଦର୍ଶିତ କରିଥିଲେ, ସେଥିରେ ଭାରତର ଲଦାଖ ଓ ଅରୁଣାଚଳ ପ୍ରଦେଶର କିଛି ଅଂଶକୁ ଚୀନର ବୋଲି ଦର୍ଶାଯାଇଥିଲା । ଯାହା ଭାରତର ଜାତୀୟ ସ୍ବାର୍ଥ ପ୍ରତି ଏକ ବିଶ୍ବାସଘାତକତା ବୋଲି ସ୍ବାମୀ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ସ୍ବାମୀ ଟ୍ବିଟ କରି ଲେଖିଛନ୍ତି ଯେ, ଉଜବେକିସ୍ତାନରେ ହୋଇଥିବା ଚଳିତ ଏସସିଓ ସମ୍ମିଳନୀରେ ଚୀନ ଦ୍ବାରା ଯେଉଁ ମାନଚିତ୍ର ପ୍ରସ୍ତୁତ କରାଯାଇଥିଲା, ସେଥିରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଲଦାଖ ଓ ଅରୁଣାଚଳ ପ୍ରଦେଶର କିଛି ଅଂଶ ଚୀନର ବୋଲି ଦର୍ଶାଯାଇଛି । ଋଷ ମଧ୍ୟ ଚୀନର ଏପରି ପ୍ରସ୍ତାବିତ ମାନଚିତ୍ର ନେଇ ଆପତ୍ତି ଉଠାଇବା ପରିବର୍ତ୍ତେ ନିଜ ମାନଚିତ୍ରରେ ଚୀନ ଦ୍ବାରା ଚିତ୍ରଣ କରାଯାଇଥିବା ଏହି ଅଂଶକୁ ଚୀନର ମୂଳଅଂଶ ବୋଲି ମଧ୍ୟ ସ୍ଥାନ ଦେଇଛି । ତେବେ ଏହିପରି ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବା ଦେଶର ଜାତୀୟ ସ୍ବାର୍ଥ ପ୍ରତି ବିଶ୍ବାସଘାତକତା ବୋଲି ମଧ୍ୟ କହିବାକୁ ପଛାଇନାହାନ୍ତି ସ୍ବାମୀ ।

ତେବେ ଏହି ପୋଷ୍ଟ ଟ୍ବିଟରରେ ଝଡ ସୃଷ୍ଟି କରିଥିବାବେଳେ, ଜଣେ ବ୍ୟବହାରକାରୀ ସ୍ବାମୀଙ୍କୁ ବର୍ତ୍ତମାନ ସୀମା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ବର୍ତ୍ତମାନର ସ୍ଥିତିରେ କ’ଣ ଭାରତ ଏକ କ୍ଷୁଦ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ କି ବୋଲି ଜଣେ ବ୍ୟବହାରକାରୀଙ୍କ ପ୍ରଶ୍ନରେ ସ୍ବାମୀ ପ୍ରତିଉତ୍ତର ଦେଇ କହିଛନ୍ତି ଯେ, କେବଳ କ୍ଷୁଦ୍ର ଯୁଦ୍ଧ କାହିଁକି ଆବଶ୍ୟକ ପଡିଲେ ବୃହତ ଯୁଦ୍ଧ କାହିଁକି ନୁହେଁ ।