ବାଲି: ବାଲି ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ‘ଜି୨୦’ର ଅନ୍ୟ ନେତାମାନେ ଆଜି ‘ତାମାନ ହୁତାନ ରାୟା ନୁରା ରାଇ’ ହେନ୍ତାଳବନକୁ ଯାଇ ବୃକ୍ଷରୋପଣ କରିଛନ୍ତି।

ହେନ୍ତାଳବନରେ ଥିବା ବୃକ୍ଷ ଓ ଗୁଳ୍ମ ଆଦି ସଂରକ୍ଷଣ କରିବା ପାଇଁ ଏହା ଥିଲା ଇଣ୍ଡୋନେସିଆ ସରକାରଙ୍କର ପ୍ରଚେଷ୍ଟା ପ୍ରଦର୍ଶନର ଅଂଶବିଶେଷ। ଶିଖର ସମ୍ମିଳନୀର ଦ୍ବିତୀୟ ଦିବସର ଚୂଡ଼ାନ୍ତ ଅଧିବେଶନ ଆରମ୍ଭ ପୂର୍ବରୁ ‘ଜି୨୦’ର ନେତାମ‌ାନେ ହେନ୍ତାଳବନ ପରିଦର୍ଶନ କରିଛନ୍ତି। ଆଜିର ଚୂଡ଼ାନ୍ତ ଅଧିବେଶନ ଜଳବାୟୁ ପରିବର୍ତ୍ତନ ସଂକଟ ଓ ଜୀବାଶ୍ମ ଉତ୍ସରୁ ଶକ୍ତି ଉତ୍ପାଦନ ଭଳି ବୈଶ୍ବିକ ଆହ୍ବାନ ଭଳି ସମସ୍ୟା ଉପରେ ପର୍ଯ୍ୟବେଶଣ କରାଯିବ।

ସୂଚନାଯୋଗ୍ୟ, ନିକଟ ଅତୀତରେ ଭାରତ ଇଣ୍ଡୋନେସିଆ ଓ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ର ମିଳିତ ଉପକ୍ରମ ‘ମ୍ୟାଗ୍ରୋଭ୍‌ ଆଲିଏନ୍ସ୍‌ ଫର୍‌ କ୍ଲାଇମେଟ୍‌’ ରେ (ଏମ୍‌ଏସି) ଯୋଗ ଦେଇଛି।

ଭାରତରେ ୫୦୦୦ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୫୦ରୁ ଅଧିକ ପ୍ରଜାତିର ହେନ୍ତାଳବନରେ ଉଠୁଥିବା ବୃକ୍ଷ ଓ ଗୁଳ୍ମ ଦେଖାଯାଏ। ଜୈବବିବିଧତାର ସମୃଦ୍ଧ ସ୍ଥାନ ଏବଂ ଅଙ୍ଗାରକାମ୍ଳ ବାଷ୍ପ ବିଶୋଷଣ କରିବାରେ ବିଶେଷ ଫଳପ୍ରଦ ଏହି ବନଷ୍ପତିର ସୁରକ୍ଷା ଓ ପୁନରୁଦ୍ଧାର ଉପରେ ଭାରତ ଗୁରୁତ୍ବ ଦେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

ଏହା ହେଉଛି ତଟବର୍ତ୍ତୀ ଜୈବବିବିଧତାର ଗୁରୁତ୍ବପୂର୍ଣ୍ଣ ନିରାପଦ ଆଶ୍ରୟସ୍ଥଳ ଏବଂ ଜଳବାୟୁଜନିତ ଦୁର୍ବିପାକ ବିରୋଧରେ ଏହା ଜୈବ-ସୁରକ୍ଷା ଭାବେ କାର୍ଯ୍ୟ କରେ।

ପ୍ରଧାନମନ୍ତ୍ରୀ ମୋଦୀ ‘ଜି୨୦ ଶିଖର ସମ୍ମିଳନୀ’କୁ ଯିବା ଆଗରୁ ବୈଦେଶିକ ସଚିବ ବିନୟ କ୍ବାତ୍ରା ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ବିଶ୍ବର ଅନ୍ୟତମ ଜୈବବିବିଧତା, ଭାରତର ହେନ୍ତାଳବନର ବ୍ୟାପ୍ତି ଉଲ୍ଲେଖଯୋଗ୍ୟ। ‘ଗ୍ଲୋବାଲ୍‌ ମ୍ୟାଗ୍ରୋଭ୍‌ ଆଲିଏନ୍‌ସ୍‌’ରେ ଯୋଗ ଦେବା ପାଇଁ ନିକଟ ଅତୀତରେ ଆମେ ରାଜି ହୋଇଛୁ।