ପୁଣି ଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୀର୍ଘ ୫୦ମିନିଟ୍ ପର୍ଯ୍ୟନ୍ତ କାଳ ଉଭୟ ଦେଶ ର ମୁଖ୍ୟ ଚାଲିଥିବା ଯୁଦ୍ଧକୁ ନେଇ ଆଲୋଚନା କରିଛନ୍ତି । ଏଥିସହ ସୁମୀରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି । ସୁମୀରୁ କେମିତି ଶୀଘ୍ର ଭାରତୀୟଙ୍କୁ ଉଦ୍ଧାର କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଛି । ସୁମୀରେ ଏବେବି ଅନେକ ଭାରତୀୟ ଛାତ୍ରଛାତ୍ରୀ ଫସିରହିଛନ୍ତି । ଏପର୍ଯ୍ୟନ୍ତ ପାଖାପାଖି ୧୬ହଜାର ଭାରତୀୟଙ୍କୁ ୟୁକ୍ରେନର ବିଭିନ୍ନ ଅଂଚଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଏହାସହ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ନେଇ ମଧ୍ୟ ପୁଟିନ, ମୋଦୀଙ୍କୁ ଅବଗତ କରାଇଥିବା ଜଣାପଡିଛି । ଏହାସହ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପୁଟିନ ସିଧାସଳଖ ଆଲୋଚନା କରିବା ଉପରେ ମୋଦୀ ଗୁରୁତ୍ୱ ଦେଇଛନ୍ତି ।
ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାଖାପାଖି ୩୫ ମିନିଟ୍ ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ୟୁକ୍ରେନ୍ର ବର୍ତମାନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଛନ୍ତି । ଏହା ସହ ରୁଷ ଓ ୟୁକ୍ରେନ୍ ମଧ୍ୟରେ ସିଧାସଳଖ ଦ୍ୱିପାକ୍ଷିକ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ସେହିପରି ଆଜି ଦୁଇ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଶାନ୍ତି ବୈଠକ ବସିବ । ଏହା ପୂର୍ବରୁ ୪ ସହର ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି ରୁଷ । କିଭ୍, ଖାରକିଭ୍, ମାରିୟୁପୋଲ ଓ ସୁମି ସହର ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଛି । ଭାରତୀୟ ସମୟ ୧୨ଟା ୩୦ରୁ ଏହି ଅସ୍ତ୍ରବିରତି ଲାଗୁ ହୋଇଛି । ଅସ୍ତ୍ରବିରତି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି । ଫଳରେ ବିଦେଶୀ ନାଗରିକମାନେ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ବାହାରି ଆସିବେ । ସୁମିରେ ପ୍ରାୟ ୭ ଶହ ଭାରତୀୟ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରୁଷ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ରୁଷ ଅସ୍ତ୍ରବିରତି ଘୋଷଣା ହେବା ପରେ ସୁମିରେ ଫଶିରହିଥିବା ଭାରତୀୟମାନେ ସେଠାରେ ଉଦ୍ଧାର ହୋଇପାରିବେ । ସେପଟେ ଆଜି ପୁଣି ଥରେ ବସିବାକୁ ଥିବା 3ୟ ବୈଠକ ଉପରେ ଏବେ ସମଗ୍ର ଦେଶରେ ନଜିର ରହିଛି ।





