ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ବାହାରିଛନ୍ତି। ଏହି ଗସ୍ତ ସମୟରେ ସେ କୁଟନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ। ଏଥିରେ ଦ୍ବିପାକ୍ଷିକ ଆଲୋଚନା, ବହୁପାକ୍ଷିକ ବୈଠକ ଓ ଆର୍ଥିକ ଏବଂ ସାଂସ୍କୃତିକ ସହଯୋଗ ଉପରେ ଜୋର ଦିଆଯିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ପିଏମ୍ ମୋଦି କହିଛନ୍ତି, ଆଗାମୀ କିଛି ଦିନରେ ବହୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଫ୍ରାନ୍ସ ଓ ସ୍ଲୋଭାକିଆରେ ରହିବି। ଏଥିରେ ଦ୍ବିପାକ୍ଷିକ ଆଲୋଚନା, ବହୁପାକ୍ଷିୟ ବୈଠକ ଓ ଭାରତୀୟ ସମୁଦାୟର ଲୋକଙ୍କ ସହ ଆଲୋଚନାରେ କରିବାର କାର୍ଯ୍ୟକ୍ରମ ରହିଛି। ମୋର ଧ୍ୟାନ ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବା ଉପରେ ରହିବ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ଯାତ୍ରାର ଆରମ୍ଭ ଫ୍ରାନ୍ସର ନିସ୍‌ରେ ହେବାକୁ ଥିବା କାର୍ଯ୍ୟକ୍ରମରୁ ହେବ।

ଭାରତ ଓ ଫ୍ରାନ୍ସ ଇନୋଭେସନ୍ ବର୍ଷ ପାଳନ କରାଯାଉଛି, ତେଣୁ ଭାରତ ଇନୋଭେଟସ୍ ଏକ ସୁନ୍ଦର ମଞ୍ଚ ହେବ, ଯାହାକି ଇନୋଭେଟର୍ସ, ଷ୍ଟାର୍ଟଅପ୍ ଓ ଇନୋଭେସନ୍ ଦୁନିଆ ସହ ଜଡିତ ଲୋକଙ୍କ ସହ ଆସିଯିବ। ଫ୍ରାନ୍ସର ଦକ୍ଷିଣ-ପୂର୍ବ ଉପକୂଳରେ ଅବସ୍ଥିତ ନିସ୍ରେ ପିଏମ୍ ମୋଦି ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହିତ ଆଲୋଚନା କରିବେ, ଯେଉଁଠି ଦୁଇ ନେତା ଭାରତ-ଫ୍ରାନ୍ସର ସ୍ବତନ୍ତ୍ର ରଣନୈତିକ ସହଭାଗିତାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁସାରେ, ଦୁଇ ନେତା ମିଳିତ ଭାବରେ ‘ଭାରତ ଇନୋଭେଟସ୍’ କାର୍ଯ୍ୟକ୍ରମର ଉଦଘାଟନ ମଧ୍ୟ କରିବେ। ଏଥିରେ ଭାରତ,ଫ୍ରାନ୍ସ ଓ ଅନ୍ୟ ଦେଶର ପ୍ରମୁଖ ଷ୍ଟାର୍ଟଅପ୍, ଇନୋଭେଟର୍ସ ଓ ଭେଞ୍ଚର କ୍ୟାପିଟାଲ ଫଣ୍ଡ ଏକାଠି ହେବେ। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତ-ଫ୍ରାନ୍ସ ଇନୋଭେସନ୍ ବର୍ଷ ବେଳେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଦୁଇ ଦେଶ ଭିତରେ ସୁନ୍ଦର ଇନୋଭେସନ୍‌ର ମିଳିତ ସହଭାଗିତାକୁ ଆହୁରି ମଜଭୁତ କରିବ।

ଫ୍ରାନ୍ସରେ ନିଜ କାର୍ଯ୍ୟକ୍ରମ ପରେ ପିଏମ୍ ମୋଦି ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ନିମନ୍ତ୍ରଣରେ ୧୪ରୁ୧୬ ଜୁନ୍ ପର୍ଯ୍ୟନ୍ତ ସେଠାକୁ ରାଜକୀୟ ଯାତ୍ରା କରିବେ। ୧୯୯୩ ରେ ସ୍ଲୋଭାକିଆର ସ୍ବାଧୀନତା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ପ୍ରଥମ ଯାତ୍ରା। ସ୍ଲୋଭାକିଆ ଯାତ୍ରା ବେଳେ ପିଏମ୍ ମୋଦି ପ୍ରତିପକ୍ଷ ଫିକୋଙ୍କ ସହିତ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ। ରାଷ୍ଟ୍ରପତି ପିଟର ପେଲୋଗ୍ରିନିଙ୍କୁ ସାକ୍ଷାତ କରିବେ। ବାଣିଜ୍ୟ, ନିବେଶ, ଅଟୋମୋବାଇଲ ମାନୁଫାକଚରିଂ ଓ ରେଲଓ୍ବେ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ସହଯୋଗ ପାଇଁ ନୂଆ ଅବସର ସୃଷ୍ଟି ହେବ। ଏହାପରେ ପିଏମ୍ ମୋଦି ୧୬-୧୭ ରେ ଏଭିୟନ୍ରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସ ଫେରିବେ। ଯେଉଁଠି ଜି-୭ ଦେଶ ଓ ଆମନ୍ତ୍ରିତ ସହଯୋଗୀ ଦେଶର ନେତାଙ୍କ ସହ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟଙ୍କ ସହ ଆଳୋଚନା କରିବେ। ୧୮ ଜୁନ୍‌ରେ ପିଏମ୍ ମୋଦି ଅତିରିକ୍ତ ଦ୍ବିପାକ୍ଷିକ ବୈଠକ ପାଇଁ ପ୍ୟାରିସ ଯିବେ ଓ ୟୁରୋପର ସବୁଠାରୁ ବଡ ଟେକ୍ନୋଲୋଜି ଓ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ, ଭିଭଟେକ୍ ଶିଖର ସମ୍ମିଳନୀରେ ଭାବ ନେବେ। ପ୍ୟାରିସ୍ ଯାତ୍ରା ବେଳେ ଭାରତୀୟ ସମୁଦାୟର ଲୋକଙ୍କୁ ସମ୍ବୋଧିତ କରିବାର ଆଶା ରହିଛି।