‘ପ୍ରଧାନମନ୍ତ୍ରୀଙ୍କୁ ସଠିକ ତଥ୍ୟ ଦିଆଯାଇନାହିଁ, ତାଙ୍କୁ ଅନ୍ଧାରରେ ରଖାଯାଇଛି’: ବୈଷ୍ଣବଙ୍କ ଉପରେ ବର୍ଷିଲେ ବିଜୟ

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଠିକ ତଥ୍ୟ ଦିଆଯାଇନାହିଁ, ତାଙ୍କୁ ଅନ୍ଧାରରେ ରଖାଯାଇଛି ବୋଲି କହିଛନ୍ତି ବିଜୟ । ଏହାସହ ସେ ରେଳ ବିଭାଗ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରେଳମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ ବୋଲି କହିପାରିବେନି, ସିବିଆଇ ଯଦି ସତ ଘଟଣାକୁ ତଦନ୍ତ କରେ ତେବେ ମନ୍ତ୍ରୀ ବି ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି ସେ କହିଛନ୍ତି । ଏଠି ଦଳ କଥା କିଛି ନାହିଁ ସେ ନିଜ ଉତ୍ତର ଦାୟିତ୍ବ ଭାବେ ଏହି କଥା ଉଠାଇଥିବା ବିଜୟ କହିଛନ୍ତି ।

ଏ ନେଇ ସେ କହିଛନ୍ତି, ‘ଫେବ୍ରୁଆରୀ ମାସରେ ଘଟିଥିବା ଘଟଣା ସମାନ ଭାବେ ଜୁନ ମାସରେ କେମିତି ଘଟିଲା । ବିଭାଗର ଅପରାଗତା ପାଇଁ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । କେହି ଏଥିରୁ ଦୋଷମୁକ୍ତ ହୋଇପାରିବେନି । ବିଭାଗର ତଳ କର୍ମଚାରୀ କି ଉପର କର୍ମଚାରୀ ହୁଅନ୍ତୁ, ଯେଉଁମାନେ ବିଭାଗକୁ ପରିଚାଳନା କରୁଛନ୍ତି ସେମାନଙ୍କ ଦେହରେ ଏହି ଦୁର୍ଘଟଣାର ରକ୍ତ ଛିଟା ଓ କଳାଦାଗ ସବୁ ଦିନ ପାଇଁ ଲାଗିକି ରହିବ । ଏହି ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା । ରେଳ ବିଭାଗର ସବୁଠି ଦୁର୍ନୀତି ହୋଇଛି । ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ ବୋଲି କହିପାରିବେନି । ସିବିଆଇ ଯଦି ସତ ଘଟଣାକୁ ତଦନ୍ତ କରେ ତେବେ ମନ୍ତ୍ରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରିପାରେ।’

ସିଗ୍ନାଲ ଟ୍ୟାମ୍ପରିଙ୍ଗ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ‘ରିଲେ ରୁମ ଇଲେକ୍ଟ୍ରୋନିକ୍ସ ରୁମ ଭିତରକୁ କେହି ଯାଇ ପାରିବେନି । କେବଳ ରେଲୱେ ଅଧିକାରୀମାନେ ସେଠାକୁ ଯିବେ । ସେ ସବୁ ସ୍ଥାନ କଡ଼ା ସୁରକ୍ଷାରେ ରୁହେ । ବାରମ୍ବାର ମନ୍ତ୍ରୀ ମିଛ କହି ଲୋକଙ୍କୁ ଭୁତାଉଛନ୍ତି । ମୁଁ ମୋ ଉତ୍ତର ଦାୟିତ୍ବ ପାଇଁ ଏହି କଥା ଉଠେଇଛି । ଦଳ କଥା ଏଠି କିଛି ନାହିଁ । ଉଦ୍ଧାର କାର୍ଯ୍ୟରେ ସମସ୍ତେ ଥିଲେ । ସେଠି ଦଳ କଣ ଲୋକେ ଦେଖୁ ନ ଥିଲେ । ସରକାରୀ ତଥ୍ୟଠୁ ଅଧିକ ଲୋକ ମରିଛନ୍ତି । କିନ୍ତୁ ଘଟଣାକୁ ଗୁରୁତର ସହ ନିଆଯାଇ ନାହିଁ।’

ଏହା ସହ ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ ମଧ୍ୟ କରିଛନ୍ତି । ଏଭଳି ଘଟଣା ଓଡ଼ିଶା ଇତିହାସରେ ପ୍ରଥମ । ଭାରତ ଇତିହାସରେ ମଧ୍ୟ ପ୍ରଥମ କହିଲେ ଅତ୍ୟୁକ୍ତି ହେବନାହିଁ। ଦେଶରେ ବି ଏହା ବିଚଳିତ କଲା ଭଳି ଘଟଣା । ଉଦ୍ଧାର କାର୍ଯ୍ୟ ଯେଉଁ ଭଳି କରାଯାଇଛି ସେଥିରେ ସ୍ଥାନୀୟ ଜନସାଧାରଣଙ୍କର ବଡ଼ ଭୂମିକା ରହିଛି । ସ୍ଥାନୀୟ ଲୋକ ଉଦ୍ଧାର ନ କରି ଥିଲେ ହୁଏତ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିଥାନ୍ତା । ମୃତ୍ୟୁ ସଂଖ୍ୟା ଯେତିକି କୁହାଯାଉଛି ସ୍ଥାନୀୟ ଲୋକେ ତାକୁ ବିଶ୍ବାସ କରି ପାରୁନାହାନ୍ତି । ବାରମ୍ବାର କୁହାଯାଉଛି ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ କହିଲେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଗଲା କିନ୍ତୁ ଆହୁରି ଗୋଟେ ଡ଼ବା ଖୋଲାଯାଇ ନାହିଁ । ହୁଏତ ସେଥିରେ ବି ଡେଡବଡି ମିଳିବ ବୋଲି ବିଜୟ ଅଭିଯୋଗ କରିଛନ୍ତି ।

Related Posts