
ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ଵନ୍ଦ ଦେଖାଦେଇଛି। ତେବେ ଆଜି ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ଦୁର୍ଘଟଣାରେ ମୋଟ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏହି ତଥ୍ୟ ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ମୁଖ୍ୟ ଶାସନ ସଚିବ ଏହି ତଥ୍ୟ ଦେଇଛନ୍ତି।
ଏନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ୨୦୫ଟିକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଉ ୮୩ଟି ମୃତଦେହ ଚିହ୍ନଟ ନ ହୋଇ ରହିଛି। ସେସବୁର ଡିଏନ୍ଏ ସାମ୍ପଲ ରଖାଯାଇଛି। ଦାବିଦାର ଆସିଲେ ଡିଏନ୍ଏ ମ୍ୟାଚ୍ କରି ମୃତଦେହ ହସ୍ତାନ୍ତର କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ତେବେ ମୋଟ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିଲା। ବାଲେଶ୍ୱରରେ ୯୪ଟି ମୃତଦେହ ସଂପୃକ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସେହିପରି ଭଦ୍ରକ ଡାକ୍ତରଖାନାରେ ଜଣଙ୍କ ମୃତଦେହକୁ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି| ଭୁବନେଶ୍ୱରକୁ ଆସିଥିବା ମୋଟ ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯାଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ରବିବାର ଦିନ ମୁଖ୍ୟ ଶାସନ ସଚିବ ମୃତ୍ୟୁ ସଂଖ୍ୟା ୨୭୫ ବୋଲି କହିଥିଲେ। ଏବେ ଚୂଡାନ୍ତ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ପୁଣି ମୃତ୍ୟୁ ସଂଖ୍ୟା ବଦଳାଇଛନ୍ତ୍ତି| ଅନ୍ୟପକ୍ଷରେ ଆଜି ଓଡିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଏହି ଦୁର୍ଘଟଣା ପରେ ତାଙ୍କ ରାଜ୍ୟର ୩୧ ଜଣ ଯାତ୍ରୀ ଏବେ ବି ନିଖୋଜ ଅଛନ୍ତି।