କାରଗାରର ପାଚେରୀ ଡେଇଁ ଫେରାର ହେଲା ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ଥିବା କଏଦୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାରଗାରର ପାଚେରୀ ଡେଇଁ ଫେରାର ହେଲା ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ଥିବା କଏଦୀ । ଚମ୍ପଟ ମାରିଥିବା କଏଦୀ ଜଣକ ହେଲା ଜୀବନଜ୍ୟୋତି ସାହୁ (୨୪)। ତାର ଘର ବାଲିକୁଦା ଥାନା ଗଦେଇଗିରି ଗାଁ। ଏକ ନାବାଳିକାକୁ ଦୁଷ୍କର୍ମ ମାମଲାରେ ୨୦୨୦ ଡିସେମ୍ବର ୩୦ରୁ ଜେଲରେ ରହୁଥିଲେ। ଆଜି ଦିନ ୧୦ଟାରୁ ୧୨ଟା ମଧ୍ୟରେ ସେ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ଏ ନେଇ ଜେଲ୍ ମୁଖ୍ୟ ରତିକାନ୍ତ ଶୁକ୍ଳା ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ଇନସପେକ୍ଟର ପ୍ରଭାସ ଚନ୍ଦ୍ର ସାହୁ ଜେଲରେ ପହଞ୍ଚି ସେଠାରେ ତଦନ୍ତ ଆରମ୍ଭ କରିଛନ୍ତି।

ଇନସପେକ୍ଟର ଶ୍ରୀ ସାହୁଙ୍କ ସୁଚନା ମୁତାବକ, ଆଜି ସକାଳ ସମୟରେ କଏଦୀ ଗଣାଯିବା ସମୟରେ ଜୀବନଜ୍ୟୋତି ଜେଲରେ ରହିଥିଲେ। ଅପରାହ୍ନରେ ଯେତେବେଳେ ପୁଣି ଥରେ କଏଦୀଙ୍କ ସଂଖ୍ୟା ଗଣାଯାଇଥିଲା, ସେଥିରେ ଜୀବନଜ୍ୟୋତି ନଥିବା ଜେଲ୍ କର୍ମଚାରୀ ଜାଣିବାକୁ ପାଇଥିଲେ। ସେମାନେ ଏନେଇ ତୁରନ୍ତ ଜେଲ୍ ମୁଖ୍ୟ ଶ୍ରୀ ଶୁକ୍ଳାଙ୍କୁ ଜଣାଇଥିଲେ। କୌଣସି ସମୟରେ ସେ ସୁଯୋଗ ଦେଇ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ଜେଲ୍ କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି। ପୁଲିସ ବର୍ତ୍ତମାନ ସିସିଟିଭି ଯାଞ୍ଚ କରିବା ସହ ଜୀବନଜ୍ୟୋତିକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts