ପ୍ରାଇଭେଟ୍ ହସ୍ପିଟାଲ ଗୁଡ଼ିକ ୨୫ % ଟିକା କୋଟା ବ୍ୟବହାର କରିପାରୁ ନାହାନ୍ତି : ସ୍ୱାସ୍ଥ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବର୍ତ୍ତମାନ କେନ୍ଦ୍ର ସରକାର ରାଜ୍ୟ କୋଟାରୁ ୨୫ ପ୍ରତିଶତ କୋଭିଡ୍ ଟିକା ପ୍ରାଇଭେଟ୍ ହସ୍ପିଟାଲ ଗୁଡିକୁ ଯୋଗାଉଛନ୍ତି। କିନ୍ତୁ ପ୍ରାଇଭେଟ୍ ହସ୍ପିଟାଲ ଗୁଡିକ ସେତିକି ଟିକା ଖର୍ଚ୍ଚ କରିପାରୁ ନାହାନ୍ତି । କାରଣ ଘରୋଇ ଡାକ୍ତରଖାନାରେ ଗୋଟିଏ ଡୋଜ୍‍ ଟିକାର ଦର ପ୍ରାୟ ୧୪୦୦ ଟଙ୍କା ପଡୁଥିବାରୁ ଲୋକେ ସରକାରୀ ଡାକ୍ତରଖାନାରେ ମାଗଣା ଟିକା ଦିଆଯାଉଥିବାରୁ ପ୍ରାଇଭେଟ୍ ହସ୍ପିଟାଲ ଗୁଡିକରୁ ଲୋକେ ଟିକା ନେବା ପାଇଁ ସେତେଟା ଯାଉ ନାହାନ୍ତି।

ଏପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ମଙ୍ଗଳବାର ସଂସଦରେ କହିଛନ୍ତି ଯେ ଦେଶର ଘରୋଇ ଡାକ୍ତରଖାନା ସେମାନଙ୍କୁ ଦିଆଯାଇଥିବା ୨୫% କରୋନା ଟିକା କୋଟାକୁ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରୁନାହାନ୍ତି । ବ୍ୟବହାର ହୋଇପାରୁ ନଥିବା ଡୋଜ ବର୍ତ୍ତମାନ ସରକାରୀ ସ୍ତରରେ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ସଂସଦରେ ସୂଚନା ଦେଇଛନ୍ତି।

ଭାରତୀୟ ଜନତା ପାର୍ଟି ସାସଂଦ ସୁଶୀଲ କୁମାର ମୋଦୀଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, “ ଗୋଟିଏ ମାସ ମଧ୍ୟରେ ଘରୋଇ ଡାକ୍ତରଖାନା ଦ୍ୱାରା ୭% ରୁ ୯ % ଟୀକା ବ୍ୟବହାର ହୋଇନଥିବା ଜଣାପଡିଛି। ତେଣୁ, ସେହି ଅବ୍ୟବହୃତ ଡୋଜକୁ ସରକାରୀ କୋଟାରେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ।

ଟୀକାକରଣର ପ୍ରାଥମିକ ପର୍ଯ୍ୟାୟରେ କେନ୍ଦ୍ର ସରକାର ଟିକା ନିର୍ମାତା କଂପାନୀ ମାନଙ୍କଠାରୁ ସିଧାସଳଖ ଟିକା କ୍ରୟ କରି ରାଜ୍ୟଗୁଡିକୁ ଯୋଗାଇ ଦେଉଥିଲେ। କିନ୍ତୁ କୋଭିଡ୍ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ରାଜ୍ୟଗୁଡ଼ିକରେ ଟୀକାର ଘୋର ଅଭାବ ଦେଖାଦେଇଥିଲା। ଏହାପରେ କେନ୍ଦ୍ର ସରକାର ଏପ୍ରିଲ ମାସରେ ଟିକା କ୍ରୟ ନୀତି ବଦଳାଇ ଦେଇଥିଲେ। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ୧୮ ରୁ ୪୪ ବର୍ଷ ବୟସର ଲୋକମାନଙ୍କ ପାଇଁ ଟୀକା କିଣିବାକୁ ଅନୁମତି ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକା ଯୋଗାଇବା ଜାରି ରଖିଥିଲେ।

ଏହା ପରେ ରାଜ୍ୟ ସରକାର ମାନେ ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଜାରି କରିଥିଲେ। କିନ୍ତୁ ରାଜ୍ୟ ସରକାର ମାନେ ଟିକା ପାଇପାରିନଥିଲେ। ଟୀକା ନିର୍ମାତା କଂପାନୀ ଗୁଡ଼ିକ କେବଳ କେନ୍ଦ୍ର ସରକାରଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଥିଲେ। ଜୁନ୍ ୨ ରେ, ସୁପ୍ରିମକୋର୍ଟ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟିକା ଦାନ ସମ୍ପର୍କିତ କେନ୍ଦ୍ରର ନୀତିକୁ ସମାଲୋଚନା କରିଥିଲେ।

ଚାପରେ କେନ୍ଦ୍ର ସରକାର ରାଜ୍ୟଗୁଡିକ ପାଇଁ ଟିକାକିଣିବା ଦାୟିତ୍ବ ଗ୍ରହଣ କରି ଜୁନ୍ ୭ ରେ ନୀତି ପରିବର୍ତ୍ତନ କରି ଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ଡୋଜର ୭୫ % କ୍ରୟ କରୁଥିବାବେଳେ ଘରୋଇ ଡାକ୍ତରଖାନାଗୁଡ଼ିକୁ ମୋଟ ଉତ୍ପାଦିତ ଟିକା ମଧ୍ୟରୁ ୨୫% କ୍ରୟ କରିବାକୁ ଅନୁମତି ଦିଆଯାଇଛି। ବେସରକାରୀ ଡାକ୍ତରଖାନାଗୁଡ଼ିକ କେବଳ ଗୋଟିଏ ଡୋଜ ପାଇଁ ୧୦୦୦ ରୁ ୧୬୦୦ ଟଙ୍କା ଏବଂ ଅଧିକରୁ ଅଧିକ ଚାର୍ଜ କରୁଛନ୍ତି। ଏହାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି ଯେ ଘରୋଇ ସଂସ୍ଥାକୁ ୨୫% ଟିକା ଯୋଗାଇବା କେତେ ଦୂର ବାସ୍ତବବାଦୀ ?

ତେବେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ବେସରକାରୀ କ୍ଷେତ୍ରକୁ ଦିଆଯାଉଥିବା ୨୫% ଡୋଜକୁ ରୁ ୧୦% କିମ୍ବା ଏପରିକି ୫% କୁ ହ୍ରାସ କରିବାକୁ ଦାବି କରିଛନ୍ତି।

ରାଜ୍ୟସଭାରେ ଏକ ପ୍ରଶ୍ନର ଏକ ସରକାରୀ ଉତ୍ତରରେ ପ୍ରକାଶ ପାଇଛି ଯେ, ମଇ ୧ ରୁ ଜୁଲାଇ ୧୫ ମଧ୍ୟରେ, କେବଳ ୭% ଟୀକାକରଣ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା। ଜୁଲାଇ ୧୫ ରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ “PCVC [ଘରୋଇ ଟୀକାକରଣ କେନ୍ଦ୍ର] ମାଧ୍ୟମରେ ଟୀକାକରଣର ମନ୍ଥର ଗତି ଗୁରୁତର ଚିନ୍ତାର କାରଣ ବୋଲି କହିଥିଲେ।

Related Posts