ଶ୍ରୀମନ୍ଦିର ଇ-ହୁଣ୍ଡି ଉଦଘାଟନକୁ ବିରୋଧ, ଶେଷ ମୁହୂର୍ତ୍ତରେ ବାତିଲ୍‌ ହେଲା କାର୍ଯ୍ୟକ୍ରମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଅନ୍‌ଲାଇନ୍‌ ଦାନ ପାଇଁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ଶୁକ୍ରବାର ବିବାଦ ଦେଖାଦେଇଛି। ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତଙ୍କ ବିରୋଧ ପାଇଁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ଦାନ କରିବା ସମ୍ଭବ ହେଉନି।ଆଗ୍ରହ ଥି‌ଲେ ବି ଭିଡ଼ ଭିତରେ ଶ୍ରୀମନ୍ଦିର ଭିତରକୁ ଯାଇ ଦାନ କରିବା ଏମାନଙ୍କ ପକ୍ଷେ ସମ୍ଭବ ହେଉନି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଏସ୍‌ବିଆଇ ମିଳିତି ଉଦ୍ୟମରେ ଇ-ହୁଣ୍ଡିର ସୁବିଧା ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ଏସ୍‌ବିଆଇ କ୍ୟୁଆର୍‌ କୋଡ୍‌ର ବ୍ୟବସ୍ଥା କରିଥିଲା। ଏହି କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଭକ୍ତ ଯେତେ ପରିମାଣର ଟଙ୍କା ଦାନ ସୂତ୍ରରେ ଦେବାକୁ ଚାହୁଁଥିବେ, ସେତେ ପରିମାଣର ଟଙ୍କା ଦେଇପାରିବାର ବ୍ୟବସ୍ଥା କରାଯାଇଥିଲା। ବିଶେଷ କରି ଅଳ୍ପ ଟଙ୍କା ଦାନ ପାଇଁ ଇଚ୍ଛା ପ୍ରକାଶ କରୁଥିବା ଭକ୍ତମାନେ ଏହାଦ୍ବାରା ଉପକୃତ ହୋଇପାରିଥାନ୍ତେ। ଏହି ଦାନ ଅର୍ଥ ସିଧାସଳଖ ଶ୍ରୀମନ୍ଦିର ପ୍ରଶାସନ ଦାନ ଆକାଉଣ୍ଟରେ ଜମା ହେବାର ବ୍ୟବସ୍ଥା କରାଯାଇଥିଲା। ସେହି ଅନୁଯାୟୀ ଶୁକ୍ରବାର ଦିନ ଶ୍ରୀମନ୍ଦିର ସିଂହଦ୍ବାରରେ ଭବ୍ୟ ସଭା ସହ ବ୍ୟାପକ ଆୟୋଜନ କରାଯାଇଥିଲା।

ଶୁକ୍ରବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଏସ୍‌ବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏହି କ୍ୟୁଆର କୋଡ୍‌ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ ସହ ସମସ୍ତ ଆୟୋଜନ ଶେଷ ପରେ ହଠାତ୍‌ ସେବାୟତଙ୍କ ମହଲରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଜିଲ୍ଲାପାଳ ବି ଏହି କାର୍ଯ୍ୟକ୍ରମକୁ ଆସିବାକୁ ସହମତି ପ୍ରକାଶ କରିନଥିଲେ। ତେଣୁ ଏହି ଉଦଘାଟନ କାର୍ଯ୍ୟକୁ ବାତିଲ୍‌ କରି ଦିଆଯାଇଥିଲା।

ଏ ସମ୍ପର୍କରେ ଏସ୍‌ବିଆଇ ପୁରୀର ମୁଖ୍ୟ ମହାପ୍ରବନ୍ଧକ ବିଜୟ ଶତପଥୀ କହିଛନ୍ତି, ଆଜି ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାର ଥିଲେ ବି ଶେଷ ମୁହୂର୍ତ୍ତରେ ତ୍ରୁଟି ପରିଲକ୍ଷିତ ହେବାରୁ ବାତିଲ୍‌ କରାଯାଇଛି। ଏହି ବ୍ୟବସ୍ଥା ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରରେ ଲାଗୁ ହେବ ସତ, କିନ୍ତୁ ଉପଯୁକ୍ତ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ହେଲେ ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଭିନ୍ନ ମତ ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଆମେ ଜାଣିନଥିଲୁ। ଏସ୍‌ବିଆଇ ନିଜ ତରଫରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିଲା।

Related Posts