
କଟକ: ଶେଷ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ଦୀର୍ଘ ୧୦ ଦିନ ଧରି ଚାଲିଥିଲା ବାଲିଯାତ୍ରା । ପ୍ରାୟ ୨୦୦ କୋଟି ଟଙ୍କାର କାରବାର ହୋଇଥିବା ସୂଚନା ମିଳିଛି। ତେବେ ଚଳିତ ବାଲିଯାତ୍ରା ସବୁ ପୁରୁଣା ରେକର୍ଡ ଭାଙ୍ଗି ଥିବା ବେଳେ, ଚଳିତ ବାଲିଯାତ୍ରାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଅନେକ ତ୍ରୁଟି ଘଟିଥିବା ଅଭିଯୋଗ ହୋଇଛି ।
ବାଲିଯାତ୍ରାକୁ ସଠିକ୍ ଭାବେ ପରିଚାଳିତ କରାଯାଇ ନଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ । ଐତିହ, ପରମ୍ପରାର ପ୍ରତୀକ ବାଲିଯାତ୍ରାକୁ ପାଳନ କରିବାରେ ପ୍ରଶାସନିକ କ୍ଷେତ୍ରରେ ଅନେକ ତ୍ରୁଟି ହୋଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବାଙ୍କୀ ବିଧାୟକ । କହିଛନ୍ତି ଏହି ପ୍ରସଙ୍ଗରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଆବଶ୍ୟକ ।
ଏହାସହ ଆଗାମୀ ବର୍ଷଠାରୁ ବାଲି ଯାତ୍ରା ରାଜ୍ୟସରକାରଙ୍କ ଦ୍ୱାରା ପ୍ରତକ୍ଷ ଭାବେ ପରିଚାଳିତ ହେଉ ବୋଲି ପରାମର୍ଶ ଦେଇଛନ୍ତି ପ୍ରଭାତ ତ୍ରିପାଠୀ । ଧିରେ ଧିରେ ବାଲିଯାତ୍ରା ତାର ମୂଳ ଅସ୍ତିତ୍ୱ ହରାଇବାକୁ ବସିଲାଣି । ବାଲିଯାତ୍ରା ଉତ୍ସବ ପାଳନର ପ୍ରକୃତ କାରଣ କଣ ଏହା ମଧ୍ୟ ଆଜିର ଯୁବପିଢୀ ଭୁଲି ସାରିଲେଣି । ପ୍ରଶାସନ କେବଳ ଆଲୋକ ସଜ୍ଜା ଦିଗରେ ଧ୍ୟାନ ଦେଉଛନ୍ତି । କିଭଳି ମହା ଆଡମ୍ବରରେ ପାଳନ କରାଯିବ ସେ ଦିଗରେ ଧ୍ୟାନ ଦେଉଛନ୍ତି । ହେଲେ ବାଲିଯାତ୍ରାର ପ୍ରକୃତ ଐତିହ ପ୍ରତି କେହି ଗୁରୁତ୍ୱ ଦେଉନଥିବା ପ୍ରଭାତ ତ୍ରିପାଠୀ ଅଭିଯୋଗ କରିଛନ୍ତି ।