ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍‌ (ଏମସିଡି) ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ବିଜୟ ହୋଇଛି । ଦଳକୁ ଏଠାରେ ସଂଖ୍ୟାଗରିଷ୍ଠତା ମିଳିଥିବାବେଳେ ଏଠାରେ ଆପର ମେୟର ହେବାକୁ ଯାଉଛନ୍ତି । ତେବେ ଏସବୁ ଭିତରେ ବିଜେପି ବିରୋଧରେ ବଡ ଅଭିଯୋଗ ଆଣିଛି ଆପ। ନିର୍ବାଚିତ କାଉନସିଲରମାନଙ୍କୁ ଟଙ୍କା ବଳରେ କିଣିବାକୁ ଭାରତୀୟ ଜନତା ପାର୍ଟି (ବିଜେପି) ଚେଷ୍ଟା କରୁଛି ବୋଲି ଆଜି ଆପ୍‌ ଅଭିଯୋଗ କରିଛି।

ଆପ୍‌ର ତିନି ଜଣ କାଉନସିଲର ଡକ୍ଟର ରୋନାକ୍ଷୀ ଶର୍ମା, ଅରୁଣ ନାୱାରିଆ ଏବଂ ଜ୍ୟୋତି ରାଣୀଙ୍କ ସହ ବରିଷ୍ଠ ଆପ୍‌ ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ଏମ୍‌ସିଡି ନିର୍ବାଚନରେ ଗତ ନିର୍ବାଚନ ତୁଳନାରେ ୮୦ଟି ଆସନ ହରାଇବା ସତ୍ତ୍ୱେ ବିଜେପି ଏମ୍‌ସିଡି ଦଖଲ ପାଇଁ ‘ଘୋଡ଼ାବେପାର’ ଆରମ୍ଭ କରିଦେଇଛି। ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୋଆ ଏବଂ ଗୁଜୁରାଟରେ ବିଧାୟକଙ୍କ ଘୋଡା ବେପାର ପରି ବିଜେପି ଦିଲ୍ଲୀରେ ନିର୍ବାଚିତ ପ୍ରତିନିଧିଙ୍କୁ କିଣିବାର ସମାନ ସୂତ୍ର ପ୍ରୟୋଗ କରୁଛନ୍ତି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି। ଏଥିସହ ଯେଉଁମାନେ ଧମକ ଏବଂ ଅର୍ଥବଳ ମାଧ୍ୟମରେ ଗଣତନ୍ତ୍ରର ହତ୍ୟା ଏବଂ ଜନାଦେଶକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଗିରଫ ଏବଂ ଜେଲରେ ରଖିବାକୁ ସେ ଦିଲ୍ଲୀ ପୁଲିସ କମିଶନରଙ୍କୁ ନିବେଦନ କରିଛନ୍ତି।

ସଞ୍ଜୟ ସିଂ ଅଭିଯୋଗ କରି କହିଛନ୍ତି ଯେ, ଯୋଗେନ୍ଦ୍ର ଚାନ୍ଦୋଲିଆ ନାମକ ଜଣେ ବ୍ୟକ୍ତି ଶ୍ରୀମତୀ ଶର୍ମାଙ୍କୁ ଫୋନ୍‌ କରି କହିଛନ୍ତି ଯେ ବିଜେପିର ରାଜ୍ୟ ସଭାପତି ଦେଶ କୁମାର ଗୁପ୍ତା ତାଙ୍କ ସହ କଥା ହେବାକୁ ଚାହାଁନ୍ତି। ଶ୍ରୀ ଗୁପ୍ତା ଏବଂ ବିଜେପିର ନେତାମାନେ ଆପ୍‌ର ନିର୍ବାଚିତ ଏମସିଡି କାଉନସିଲରଙ୍କୁ କିଣିବା ପାଇଁ ୧୦୦ କୋଟିର ବଜେଟ୍‌ ରଖିଛନ୍ତି। ଏହି ୧୦୦ କୋଟି କେବଳ ୧୦ କାଉନସିଲରଙ୍କୁ କିଣିବା ଲାଗି ଖର୍ଚ୍ଚ କରାଯିବ ଏବଂ ପ୍ରତ୍ୟେକ କାଉନସିଲରଙ୍କ ପାଇଁ ୧୦ କୋଟର ବଜେଟ୍‌ ରହିଛି।

ସେପଟେ ଶ୍ରୀ ନାୱାରିଆ କହିଛନ୍ତି ଯେ ଯେଉଁମାନେ ତାଙ୍କୁ ନିର୍ବାଚନ କାଳରେ ସମର୍ଥନ କରିଥିଲେ ଏବଂ ତାଙ୍କ ସହ ପ୍ରଚାର ଅଭିଯାନରେ ଥିଲେ ସେମାନଙ୍କୁ ଏବେ ଟାର୍ଗେଟ କରାଯାଉଛି ଏବଂ ଦୁର୍ବ୍ୟବହାର କରାଯାଉଛି। ତାଙ୍କର ସମର୍ଥକମାନଙ୍କୁ ଭୟଙ୍କର ପରିଣାମ ପାଇଁ ଧମକ ମିଳୁଛି। ମୁଁ ଶପଥ ନେବା ପୂର୍ବରୁ ସେମାନେ ମୋତେ ହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଉଛନ୍ତି।

ଅନ୍ୟପଟେ ଜ୍ୟୋତି ରାଣୀଙ୍କ ସ୍ୱାମୀ କହିଛନ୍ତି ଯେ ଜଣେ ବ୍ୟକ୍ତି ତାଙ୍କୁ ରାସ୍ତାରେ ଟାଣି ନେଇଥିଲେ ଏବଂ କହିଥିଲେ ଯେ ତାଙ୍କ ପାଖରେ ଆମ ପାଇଁ ଏକ ଅଫର ଅଛି। ସେ ମୋତେ କହିଥିଲେ ଯେ ସେମାନେ ଆମକୁ କ୍ରସ୍‌ ଭୋଟ୍‌ ଦେବା ପାଇଁ ୫୦ ଲକ୍ଷ ଦେବେ। ସେ କହିଛନ୍ତି ଯେ ଯେତେବେଳେ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ବ୍ୟକ୍ତି ଜଣକ କହିଥିଲେ ଯେ କେହି ଜାଣି ନପାରି ସେ କ୍ରସ୍‌ ଭୋଟ୍‌ ଦେଇପାରିବେ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ବିଜେପି ଆମ୍‌ ଆଦମୀ ପାର୍ଟି ଉପରେ ବିଜେପିର କାଉନସିଲରମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲା।