ନୂଆଦିଲ୍ଲୀ: ୨୦୧୯ରେ ଜମ୍ମୁ କଶ୍ମୀରର ପୁଲୱାମାରେ ଏକ ବଡ଼ ଧରଣର ଆତଂକବାଦୀ ଆକ୍ରମଣ ହୋଇଥିଲା । ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲା । ଯାହାକୁ ନେଇ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ, ଦୁଃଖର ଲହରୀ ଖେଳି ଯାଇଥିଲା । କିନ୍ତୁ ଏହି ଘଟଣାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ଜଣେ ଯୁବକ।
ଫେସବୁକରେ ସେ ଆକ୍ରମଣକୁ ନେଇ ଅପମାନଜନକ ପୋଷ୍ଟ କରିବା ସହ ଯବାନଙ୍କ ମୃତ୍ୟୁ ନେଇ ଖୁସି ହୋଇଥିଲେ। ଏହା ସାମ୍ନାକୁ ଆସିବା ପରେ ଏବେ ଯୁବକଙ୍କୁ ୫ବର୍ଷ ଜେଲ ଦଣ୍ଡ ମିଳିଛି। ୨୨ବର୍ଷ ବୟସ୍କ ଯୁବକଙ୍କୁ ଏକ ସ୍ୱତନ୍ତ୍ର କୋର୍ଟ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ କୋର୍ଟ ୨୫,୦୦୦ ଟଙ୍କା ଜରିମାନା ଦେବାକୁ କହିଛନ୍ତି। ଦୋଷୀ ଯୁବକଜଣକ ଫୈଜ ରଶୀଦ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ୨୦୧୯ରେ ପୁଲୱାମାରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିବା ପରେ ବିଭିନ୍ନ ନିଉଜ ଚ୍ୟାନେଲରେ ଏହି ଖବର ପ୍ରସାରିତ ହୋଇଥିଲା। ସୋସିଆଲ ମିଡିଆରେ ମଧ୍ୟ ଏହାକୁ ସେୟାର କରାଯାଇଥିଲା। ଫେସବୁକରେ ସେୟାର କରାଯାଇଥିବା ନିଉଜରେ ଫୈଜ ୨୪ଥର ବିବାଦୀୟ କମେଣ୍ଟ ଲେଖିଥିଲେ। ସେ ସମୟରେ ସେ ୧୯ବର୍ଷର ହୋଇଥିବା ବେଳେ ବେଙ୍ଗାଲୁରୁରେ ଇଞ୍ଜିନିୟରିଂ ପଢ଼ୁଥିଲେ। ଭାରତୀୟ ହୋଇ ବି ଅଭିଯୁକ୍ତ ଏଭଳି ଯବାନମାନଙ୍କ ମୃତ୍ୟୁରେ ଖୁସି ବ୍ୟକ୍ତ କରିଥିବାରୁ ତାଙ୍କୁ ଦୋଷୀ ବୋଲି ଘୋଷଣା କରି କୋର୍ଟ ତାଙ୍କୁ ୫ବର୍ଷ ଜେଲ ଦଣ୍ଡ ଦେଇଛନ୍ତି। ଏହା ସହ ୨୫,୦୦୦ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ।
