ଭୁବନେଶ୍ଵରର ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, ପିଟିପିଟି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ୩୮ବର୍ଷୀୟ ରାଜୀବ ଶ୍ରୀଚନ୍ଦନ । ଭୁବନେଶ୍ୱର କୋଳଥିଆରେ ଥିବା ନିଷ୍ଠା ନିଶାନିବାରଣ କେନ୍ଦ୍ରରୁ ରାଜୀବଙ୍କ ମୃତଦେହ ଉଦ୍ଧାର ହୋଇଛି ।ରାଜୀବଙ୍କ ଘର ଖଣ୍ଡଗିରି ଥାନା ଅଧିନ ଡୁମୁଡୁମା ଫେଜ-୨ ଅଞ୍ଚଳରେ ବୋଲି ଜଣାପଡିଛି । ସେ ରାଜ୍ୟ ସରକାରଙ୍କ ଟ୍ରେଜେରୀ ବିଭାଗରେ ଚାକିରି କରୁଥିଲେ।

ଖଣ୍ଡଗିରି ଥାନାରେ ଅଭିଯୋଗ ଅନୁସାରେ, ଗତ ୨୪ତାରିଖରେ ‘ନିଷ୍ଠା’ ନାମକ ଏକ ନିଶାନିବାରଣ କେନ୍ଦ୍ରରେ ରାଜୀବ ଭର୍ତି ହୋଇଥିଲେ । ହେଲେ ମଙ୍ଗଳବାର ହଠାତ ତାଙ୍କର ମୃତ୍ୟ ଖବର ପରିବାର ଲୋକଙ୍କୁ ଦିଆଯାଇଥିଲା । ପରିବାର ଲୋକେ ରାଜୀବଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ନିଶା ନିବାରଣ କେନ୍ଦ୍ର ନିକଟରେ ଏମ୍ସ ଥିଲେ ବି କାହିଁକି ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି | ରାଜୀବଙ୍କ ସମ୍ପର୍କୀୟ କହିଛନ୍ତି ଯେ ମେଡିକାଲକୁ ଆମ୍ବୁଲାନ୍ସରେ ନ ନେଇ ଏକ ପ୍ରାଇଭେଟ୍ ଅଟୋରେ କାହିଁକି ନେଲେ । ହତ୍ୟା ଅଭିଯୋଗ ନେଇ ସ୍ଥାନୀୟ ବାସିନ୍ଦା ଓ ସାଙ୍ଗ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି | ନିଷ୍ଠା ନିଶା ନିବାରଣ କେନ୍ଦ୍ରର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ କେନ୍ଦ୍ରର ପରିଚାଳକଙ୍କୁ ଗିରଫ ପାଇଁ ଦାବି କରାଯାଇଛି |

ସେପଟେ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ରାଜୀବଙ୍କ ମୃତ୍ୟୁ ହେଲା ସେନେଇ ଖୋଳତାଡ଼ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ । ଆଜି ପୋଲିସ ନିଶା ନିବାରଣ କେନ୍ଦ୍ରକୁ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି । ସେପଟେ ନିଶା ନିବାରଣ କେନ୍ଦ୍ରର କତ୍ତୃପକ୍ଷଙ୍କୁ ପୋଲିସ ପଚରାଉଚରା ଆରମ୍ଭ କରିଛି । ଆଜି ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ ଯାଇ ତଦନ୍ତ କରିବେ ବୋଲି ମଧ୍ୟ ଜଣାପଡ଼ିଛି ।

Related Posts