
ବଲାଙ୍ଗୀର: ଛାତ୍ରୀଙ୍କୁ ନିର୍ଘାତ ମାଡ ମାରି ନିଜେ ଫସିଗଲେ ଶିକ୍ଷୟିତ୍ରୀ | ପଦାରେ ପଡିଗଲା ନକଲି ଶିକ୍ଷୟିତ୍ରୀଙ୍କ ଗୁମର | ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ ମାରିଥିଲେ ଜଣେ ଶିକ୍ଷୟିତ୍ରୀ। ଘଟଣାର ଖୋଳତାଡ଼ କରୁ କରୁ ଶିକ୍ଷୟିତ୍ରୀଜଣକ ନକଲି ବୋଲି ଜଣା ପଡିଥିଲା |
ବିନା ଖାତା ଖତିଆନରେ, ସରକାରୀ କାଗଜପତ୍ରରେ ଶିକ୍ଷୟିତ୍ରୀଜଣକ ବ୍ଳକ ସଦର ମହକୁମାରେ ଥିବା ଏକ ସରକାରୀ ସ୍କୁଲରେ କିପରି ପଢ଼ାଉଥିଲେ, ଏଥିପାଇଁ କିଏ ଅନୁମତି ଦେଇଥିଲା ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ବଲାଙ୍ଗିର ସହର ଇଛାପଡା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ।
ସୂଚନା ଅନୁଯାୟୀ, କ୍ଷିରାଦ୍ରୀ ବାଗ ନାମ୍ନୀ ଶିକ୍ଷୟିତ୍ରୀ ପ୍ରାୟ ୮ ବର୍ଷ ହେଲା ଇଛାପଡା ପ୍ରାଥମିକ ବିଦ୍ୟାଳୟରେ ପଢ଼ାଉଥିଲେ। ହେଲେ ତାଙ୍କୁ ସରକାରଙ୍କ ତରଫରୁ ନିଯୁକ୍ତି ମିଳି ନ ଥିଲା। ଖୋଳତାଡ଼ କରୁ କରୁ ତାଙ୍କୁ ଏକ ଏନଜିଓ ସେଠାରେ ରଖିଥିବା ଜଣାପଡ଼ିଛି। ତେବେ ଏନଜିଓ କିପରି ରଖିଲା, ଏତେ ବର୍ଷ ମଧ୍ୟରେ କିପରି ଉପରିସ୍ଥ ଅଧିକାରୀ ତାଙ୍କ ସମ୍ପର୍କରେ ଜାଣି ପାରି ନ ଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସମ୍ପୃକ୍ତ ଶିକ୍ଷୟିତ୍ରୀଜରକ ଗତ ସୋମବାର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରିଥିଲେ। ଏନେଇ ଛାତ୍ରୀଜଣକ ଘରେ କିଛି କହି ନ ଥିବା ବେଳେ ମଙ୍ଗଳବାର ମଧ୍ୟ ଶିକ୍ଷୟିତ୍ରୀ ବାଗ ତାଙ୍କୁ ନିର୍ଘାତ ପିଟିଥିଲେ। ଏହା ଅସହ୍ୟ ହେବାରୁ ଛାତ୍ରୀଜଣକ କାନ୍ଦି କାନ୍ଦି ଘରେ ସବୁ କଥା କହିଥିଲେ। ଏନେଇ ପରିବାର ଲୋକେ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଖବର ପାଇ ଏବିଇଓ, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଶିକ୍ଷକମାନଙ୍କ ଅନୁପସ୍ଥିତି ବେଳେ ସେ ପଢ଼ାଉଥିଲେ । ହେଲେ ତାଙ୍କ ନିଯୁକ୍ତି ସମ୍ପର୍କରେ କିଛି ଜାଣିନି ବୋଲି କହିଛନ୍ତି ପ୍ରଧାନଶିକ୍ଷୟିତ୍ରୀ । ମୁଁ ଯେତେବେଳେ ସ୍କୁଲ ଆସେ, ତାଙ୍କୁ କେବେବି ଦେଖିନି। ସେ ଆଇନତଃ ଭାବେ ନିଯୁକ୍ତି ପାଇ ନ ଥିବା କହିଛନ୍ତି ଏବିଇଓ । ଶିକ୍ଷକଜଣକ ସମ୍ପୂର୍ଣ୍ଣ ବେଆଇନ ଭାବେ ନିଯୁକ୍ତି ପାଇଛନ୍ତି। ଏହା ଏକ ସାଂଘାତିକ ଅଭିଯୋଗ । ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ । ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଖୋଜା ଚାଲିଥିବା ବେଳେ ଗତ ୨ ଦିନ ହେବ ସେ ସ୍କୁଲ ଆସୁ ନ ଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ସମ୍ପୃକ୍ତ ସ୍କୁଲରେ ୭୪ ଜଣ ପିଲା ଥିବା ବେଳେ ସେମାନଙ୍କୁ ପଢ଼ାଇବା ନିମନ୍ତେ ୪ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସରକାରଙ୍କ ଅନୁପାତ ଅନୁଯାୟୀ ଅଧିକ ଥିବା ବେଳେ ପୁଣି ଜଣେ ବାହାର ଶିକ୍ଷକ କ’ଣ ପାଇଁ ଆବଶ୍ୟକ ପଡ଼ିଲେ। ଏଥିପାଇଁ କିଏ ଅନୁମତି ଦେଇଥିଲେ ତାହାର ଚାଲିଛି ଖୋଳତାଡ଼ ।