୨୦୨୦ ମସିହାରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା: କେନ୍ଦ୍ର ସରକାରଙ୍କ ରିପୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୦ ମସିହାରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା । ସେପଟେ ଓଡ଼ିଶାରେ ୨୦୨୦ରେ ସମୁଦାୟ ୯୮୧୭ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୪୩୭୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୮୨୨ ଆହତ ହୋଇଥିଲେ। ଏହାର ପୂର୍ବ ବର୍ଷ ୨୦୧୯ରେ ରାଜ୍ୟରେ ୧୧ ହଜାର ୬୪ ଟି ସଡ଼କ ଦୁର୍ଘଟଣାରେ ୫ ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ତୁଳନାରେ ୨୦୨୦ରେ ଓଡ଼ିଶାରେ ଉଭୟ ସଡ଼କ ଦୁର୍ଘଟଣା ଓ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା କମିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅଧୀନ ପରିବହନ ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ‘ରୋଡ ଆକ୍‌ସିଡେଣ୍ଟ ଇନ୍ ଇଣ୍ଡିଆ-୨୦୨୦’ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟକୁ ଗତକାଲି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ରିପୋର୍ଟ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୦୨୦ରେ ଓଡ଼ିଶାରେ ଦିନକୁ ୨୭ଟି ଦୁର୍ଘଟଣା ଘଟିଥିଲା। ଏହା ଫଳରେ ପ୍ରତିଦିନ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟାରେ ଓଡ଼ିଶା ଦେଶର ଦ୍ବାଦଶ ସ୍ଥାନରେ ଥିଲା। ରାଜ୍ୟରେ ଉକ୍ତ ବର୍ଷ ଜାତୀୟ ରାଜପଥମାନଙ୍କରେ ୩୬୭୩ ସଡ଼କ ଦୁର୍ଘଟଣାରେ ୧୭୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ରାଜପଥମାନଙ୍କରେ ୨୩୬୫ ଦୁର୍ଘଟଣାରୁ ୧୧୭୯ ଜଣ ପ୍ରାଣ ହରାଇଥିଲେ।

ସହରାଞ୍ଚଳରେ ମୋଟ ୩୦୨୪ଟି ଦୁର୍ଘଟଣା ଘଟି ୧୨୨୯ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଗ୍ରାମାଞ୍ଚଳରେ ୬୭୯୩ ଦୁର୍ଘଟଣାରେ ୩୫୦୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଉକ୍ତ ବର୍ଷ ଗମ୍ଭୀର ସଡ଼କ ଦୁର୍ଘଟଣା ସଂଖ୍ୟା ଜାତୀୟ ସ୍ତରରେ ୩୬ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହି ହାର ଥିଲା ୪୮.୩ ପ୍ରତିଶତ। ଦେଶରେ ସମୁଦାୟ ସଡ଼କ ଦୁର୍ଘଟଣାର ସଂଖ୍ୟାରେ ଓଡ଼ିଶାର ଅଂଶ ୨.୭ ପ୍ରତିଶତ ରହିଛି। ଦୁର୍ଘଟଣାର କାରଣ ସଂପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୨୦ରେ ଓଡ଼ିଶାରେ ଦ୍ରୁତ ଗତି ଯୋଗୁ ୭୦୬୪ ଦୁର୍ଘଟଣା ଘଟି ୩୮୪୩ ଜଣ ପ୍ରାଣ ହରାଇଥିଲେ। ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ୬୪୮ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ କି ୨୯୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଭୁଲ ପାର୍ଶ୍ବରେ ଡ୍ରାଇଭିଂ ଯୋଗୁ ୭୪୯ ସଡ଼କ ଦୁର୍ଘଟଣା ଘଟିଥିଲା। ଏହା ସହ ଡ୍ରାଇଭିଂ ସମୟରେ ମୋବାଇଲ ଫୋନ ବ୍ୟବହାର ଯୋଗୁ ୨୯୭ ଦୁର୍ଘଟଣା ହୋଇଛି। ରେଡ ଲାଇଟ ନମାନିବା କାରଣରୁ ୨୯୯ ଟି ଦୁର୍ଘଟଣା ମଧ୍ୟ ହୋଇଥିଲା।

Related Posts