ତୃତୀୟ ଲିଙ୍ଗ ବି ପରିବାର ପେନସନ୍ ପାଇଁ ହକଦାର: ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୃତୀୟ ଲିଙ୍ଗ ବି ପରିବାର ପେନସନ୍ ପାଇଁ ହକଦାର । ଜଣେ ତୃତୀୟ ଲିଙ୍ଗ ବା କିନ୍ନର (ଟ୍ରାନ୍ସଜେଣ୍ଡର)ଙ୍କ ନିଜର ଲିଙ୍ଗ ଚୟନ କରିବାର ଅଧିକାର ରହିଛି ବୋଲି ହାଇକୋର୍ଟ କହିଛନ୍ତି। କେଉଁ ଲିଙ୍ଗକୁ ନେଇ ସେ ପରିଚିତ ହେବାକୁ ଚାହୁଁଛନ୍ତି, ତାହା ଜଣେ କିନ୍ନର ନିଜେ ସ୍ଥିର କରିବେ। କିନ୍ନରଙ୍କ ଏପରି ଅଧିକାର ନେଇ ଆଇନ ବ୍ୟବସ୍ଥାରେ ଉଲ୍ଲେଖ ରହିଛି। ଜଣେ କିନ୍ନର ବ୍ୟକ୍ତି ମହିଳା କିମ୍ବା ପୁରୁଷ ଅବା ତୃତୀୟ ଲିଙ୍ଗରେ ରହିବେ ତାହା ସେ ସ୍ଥିର କରିବେ ଏବଂ ଏହି ଆଧାରରେ ତାଙ୍କୁ ସରକାର ସ୍ବୀକୃତି ପ୍ରଦାନ କରିବେ।

ଆବେଦନକାରୀ କିନ୍ନର (ମହିଳା) ତାଙ୍କ ପରଲୋକଗତ ବାପା-ମାଙ୍କ ଅବିବାହିତା ଝିଅ ଭାବେ ପରିବାର ପେନସନ୍ ପାଇବା ପାଇଁ ଯୋଗ୍ୟ। ତେଣୁ ତାଙ୍କୁ ପେନସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.କୋଣ୍ଡଗରି ଓରଫ କାଜଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୬ ସପ୍ତାହ ଭିତରେ ଆବେଦନକାରୀଙ୍କୁ ପରିବାର ପେନସନ୍ ପ୍ରଦାନ ପାଇଁ ପ୍ରିନ୍ସପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ)ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Posts