ପଦ୍ମ ବଦଳରେ ଶଙ୍ଖ ଫୁଟାଇଲେ ସମ୍ବିତ

ନୋଟିସ ଜାରି କଲେ ପୁରୀ ଜିଲ୍ଲାପାଳ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ହାତରେ ଧରି ପୁରୀ ଭାଜପାର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସୋମବାର ଖୋଲା ଜିପରେ ଏକ ରାଲିରେ ସାମିଲ ହୋଇଥିଲେ । ଏହାକୁ ବିରୋଧ କରି ପୁରୀ ନଗର ବିଜେଡି ପକ୍ଷରୁ ମଙ୍ଗଳବାର ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି ।

ନଗର ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ସିଂହଦ୍ୱାର ଠାରୁ ଶୋଭାଯାତ୍ରାରେ ବାହାରି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ଏତଲା ପ୍ରଦାନ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ଭାଜପା ପ୍ରାର୍ଥୀ ସମ୍ବିତ ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ ହାତରେ ଧରି ଦଳୀୟ ରାଜନୀତି ପ୍ରଚାରରେ ବ୍ୟବହାର କରିଛନ୍ତି ।

ଏହା ଓଡ଼ିଶାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ କରିଛି । ଧର୍ମର ଦ୍ୱାହିଦେଇ ଭୋଟରଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ପ୍ରଭାବିତ କରିବା ଉଦ୍ୟମ ଆଇନ ବିରୁଦ୍ଧ । ଏହାଦ୍ୱାରା ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରାଯାଉଛି । ସୋସିଆଲ ମିଡିଆରେ ପ୍ରଚାର ଉଦ୍ଦେଶ୍ୟରେ ଏହା ମଧ୍ୟ ପ୍ରସାରଣ କରାଯାଇଛି । ଏହାର ତଦନ୍ତ କରାଯାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ନିବେଦନ କରାଯାଇଛି ।

ସେହିପରି ସମ୍ବିତଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ପ୍ରଦେଶ କଂଗ୍ରେସ । ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେଏକ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଅଭିଯୋଗପତ୍ର ଦେଇଛନ୍ତି ।

ଧର୍ମ ଓ ଜାତି ଆଧାରରେ ନିର୍ବାଚନ ଲଢୁଥିବା ଭାଜପା ପ୍ରାର୍ଥୀ ସମ୍ବିତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରତିନିଧି ଦଳରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି, ଅଶୋକ ସାମଲ ଓ ଦୀପକ ମହାପାତ୍ର ଯୋଗ ଦେଇଥିଲେ ।

ଏ ସମ୍ପର୍କରେ ସମ୍ବିତ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଗଣଦେବତା । ସମସ୍ତଙ୍କ ଆରାଧ୍ୟ । ମହାପ୍ରଭୁଙ୍କ ପ୍ରତି ମୋର ଭକ୍ତି ଏବଂ ଗଭୀର ବିଶ୍ୱାସ ରହିଛି । ଠାକୁରଙ୍କ ବିଗ୍ରହ ଧରି ରାଲିରେ ସାମିଲ ହେବା ପଛରେ ମୋର କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ଥିଲା ।

ସୋମବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବା ସମୟରେ ପିପିଲି ନିକଟରେ ଜଣେ ଭଦ୍ରବ୍ୟକ୍ତି ମୋତେ ଜଗନ୍ନାଥଙ୍କ ବିଗ୍ରହ ବଢ଼ାଇ ଦେଇଥିଲେ । ଜଣେ ଓଡ଼ିଆ ଭାବେ ସେହି ବିଗ୍ରହଙ୍କୁ ଆଣି ମୁଣ୍ଡିଆ ମାରିଥିଲି । ନିର୍ବାଚନ ସମୟ ଥିବାରୁ ତାଙ୍କୁ ମୂର୍ତି ରଖିବାକୁ କହି ଫେରାଇ ଦେଇଥିଲି । ତେଣୁ ଜଣେ ଭକ୍ତର ଭାବାବେଗକୁ ନେଇ ଏଭଳି ରାଜନୀତି କରାନଯାଉ ।

ଅନ୍ୟପକ୍ଷରେ ସୋମବାର ପୁରୀ ଲୋକସଭା ଆସନ ପାଇଁ ବିଜେପିର ଦଳୀୟ ପ୍ରାର୍ଥୀ ହେବା ପରେ ସମ୍ବିତ ସୋମବାର ନିର୍ବାଚନ ପ୍ର·ର ଆରମ୍ଭ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ସମ୍ବିତ କହିଥିଲେ ଯେ ମୋର ଭାଗ୍ୟ ମୁଁ ଏଠାରେ ପହଞ୍ଚିଛି । ଗର୍ବ ଅନୁଭବ କରୁଛି । ମହାପ୍ରଭୁଙ୍କ ଶ୍ରୀଚରଣେ ନିଜକୁ ଶରଣାଗତ କଲି । ନରେନ୍ଦ୍ର ମୋଦୀଙ୍କ ପାଇଁ ପ୍ରାର୍ଥନା କଲି, ଅନେକ ବର୍ଷ ପରେ ଦେଶକୁ ଏପରି ପ୍ରଧାନମନ୍ତ୍ରୀ ମିଳିଛନ୍ତି ।

ମୋଦୀଙ୍କୁ ମଜବୁତ କରିବା ଓ ତାଙ୍କ ସରକାର ପୁନଃ ଆସିବାକୁ ପ୍ରାର୍ଥନା କରିଛି । ଜଗନ୍ନାଥଙ୍କୁ ଧନ୍ୟବାଦ ଦେଲି, ମହାପ୍ରଭୁ ମୋ କାଣି ଆଙ୍ଗୁଠି ଧରି ମୋତେ ଡାକି ଆଣିଛନ୍ତି । ନିର୍ବାଚନ ଲଢିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୋତେ ନରେନ୍ଦ୍ର ମୋଦୀ ପଠାଇଛନ୍ତି । ମହାପ୍ରଭୁଙ୍କ ଆଦେଶ ଗ୍ରହଣ କରି ମୁଁ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛି ।

ଶ୍ରୀ ପାତ୍ର ଆହୁରି କହିଥିଲେ, ଆଜି ମୁଁ ସିଂହଦ୍ୱାରରେ ଛିଡ଼ା ହୋଇଛି । ଏହିଠାରୁ ଓଡ଼ିଆ ଜାତିକୁ ଆହ୍ୱାନ ଦେଉଛି, ସମଗ୍ର ଓଡ଼ିଆ ଜାତି ସିଂହ ଭଳି ଗର୍ଜନ କରିବାକୁ ପଡ଼ିବ । ଆମ ଗୌରବମୟ ଇତିହାସକୁ ପୁନଃଜୀବିତ କରିବାକୁ ହେବ । ପୁରୀ ଭଳି ଆଧ୍ୟାତ୍ମିକ କ୍ଷେତ୍ର କାହାରି ଗଡ଼ ନୁହେଁ, ଏହା ମହାପ୍ରଭୁଙ୍କ ଗଡ଼ । ଧର୍ମ ଓ ସତ୍ୟର ଗଡ଼ ।

ଗତ ୧୯ ବର୍ଷ ଧରି ସତ୍ୟକୁ ଧ୍ୱଂସ କରାଯାଇଛି, ଏଥର ପୁନଃଧର୍ମ ସ୍ଥାପନ ହେବ । ଏହି ମାଟିରେ କ୍ରାଇମ୍ ନହେଉ, ଗୁଳି ନଚାଲୁ, ବୋମା ଓ ବନ୍ଧୁକ ନଫୁଟୁ । କେବଳ ଶଙ୍ଖ ଫୁଟୁ । ଏତିକି ମୋର ଇଚ୍ଛା ବୋଲି ଶ୍ରୀ ପାତ୍ର କହିଥିଲେ । ବିଜେପିର ପଦ୍ମ ଫୁଟାଇବାକୁ ଆସିଥିବା ସମ୍ବିତଙ୍କ ପାଟିରୁ ଶଙ୍ଖ ଫୁଟିବା କଥା ଶୁଣି ଦଳୀୟ କର୍ମୀମାନେ ବି ଦ୍ୱନ୍ଦ୍ୱରେ ପଡିଥିଲେ ।

Related Posts