ତେଜୁଛି ବିଦ୍ରୋହ; ବଢୁଛି ପ୍ରସାଶନିକ ଅଡୁଆ: ଜିଲ୍ଲାପାଳ ଏବଂ ପୁରୀ ସୁରକ୍ଷା ମଞ୍ଚ ଆଲୋଚନା ବିଫଳ

ତେଜୁଛି ବିଦ୍ରୋହ । ବଢୁଛି ପ୍ରସାଶନିକ ଅଡୁଆ । ବାହାରିପାରୁନି ସମାଧାନ ର ବାଟ । ଇତି ମଧ୍ୟରେ ବିଫଳ ହୋଇଛି ଜିଲ୍ଲାପାଳ ଓ ପୁରୀ ସୁରକ୍ଷା ମଞ୍ଚ ର ଆଲୋଚନା ।

ଗତକାଲି ସାଧୁସନ୍ଥଙ୍କ ବିରୋଧ ପରେ ଉଚ୍ଛେଦ କାମକୁ ବନ୍ଦ ରଖାଯାଇଥିଲା । ସାଧୁସନ୍ଥଙ୍କ ସପକ୍ଷରେ ଅଣ୍ଟା ଭିଡିଥିଲା ପୁରୀ ସୁରକ୍ଷା ମଞ୍ଚ । ବିଧାୟକଙ୍କ ନେତୃତ୍ବରେ ଗଠିତ ମଞ୍ଚରେ ସାମିଲ ହୋଇଥିଲେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର, ଆଇନଜୀବୀ ପୁଷ୍କର ମହାନ୍ତି, ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ପୂର୍ବତନ ଯୁଗ୍ମ ସଚିବ (ଅର୍ଥ ବିଭାଗ) ଦାମୋଦର ପ୍ରଧାନୀ, ବରିଷ୍ଠ କଂଗ୍ରେସ ନେତା ବିରେନ୍ଦ୍ର ଭୂଷଣ ହୋତା ସମେତ ଅନେକ ବୁଦ୍ଧିଜୀବି । ଆଜି ସକାଳେ ମଞ୍ଚର ସମସ୍ତ ସଦସ୍ୟ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ । ମଠ ସଂସ୍କୃତି ରହୁ, ଉଚ୍ଛେଦ ପୂର୍ବରୁ ଥଇଥାନ ଓ କ୍ଷତି ପୂରଣ ଦିଆଯିବା ପାଇଁ ମତ ରଖିଥିଲେ ମଞ୍ଚର ସଦସ୍ୟମାନେ।

ଅନ୍ୟପଟେ ଜିଲ୍ଲାପାଳ ବଲୱନ୍ତ ସିଂ ଏହାର ସ୍ଥାଇ ସମାଧାନ ଚାହାଁନ୍ତି ବୋଲି ମତ ଦେଇଥିଲେ । ବିପଦ ସଂକୁଳ ମଠ ଗୁଡିକ ଭଙ୍ଗାଯିବ, ମଠକୁ ବିକଶିତ କରାଯିବ । ସରକାର ପ୍ୟାକେଜ୍ ଘୋଷଣା କରିସାରିଛନ୍ତି, ସର୍ଭେ ପରେ ତୁରନ୍ତ ପ୍ରଦାନ କରାଯିବ ବୋଲି କହିଥିଲେ ଜିଲ୍ଲାପାଳ ।
ହେଲେ ନିର୍ଣାୟକ ହେଇ ପାରିନି ଆଲୋଚନା । ସଂପୂର୍ଣ୍ଣ ବିଫଳ ହୋଇଛି ଆଜିର ଆଲୋଚନା ।

ସୂଚନା ଥାଉ କି, 1996 ହେଉ କି 2013-14 ମସିହାରେ ହେଇଥିବା ଉଚ୍ଛେଦରେ କ୍ଷତିଗ୍ରସ୍ତଙ୍କୁ ଆଜିଯାଏଁ ଥଇଥାନ କି କ୍ଷତିପୂରଣ ମିଳିନାହିଁ । ଫନୀ କ୍ଷତିଗ୍ରସ୍ତଙ୍କୁ ମଧ୍ୟ ମିଳିନାହିଁ କ୍ଷତିପୂରଣ । ତେଣୁ ଏଥରର ପ୍ରତିଶ୍ରୁତି କୁ ନେଇ ସାଧାରଣରେ ସନ୍ଦେହ ଉଠୁଛି ।

ଅନ୍ୟପଟେ ସହରରେ ମେଳି ବାନ୍ଧିଲେଣି ନାଗାସାଧୁ । ଯାହା ସରକାରଙ୍କ ତଥା ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହୋଇଛି ।

ଅତୀତରେ 1955 ମସିହାରେ ଅନୁରୂପ ଭାବେ ନାଗାସାଧୁ-ପୋଲିସ ର ଖଣ୍ଡ ଯୁଦ୍ଧରେ ବଡଦାଣ୍ଡ ରକ୍ତରଂଜିତ ହୋଇଥିଲା । ଏବେ ମଧ୍ୟ ଠିକ୍ ସେହିଭଳି ପରିସ୍ଥିତି ଉପୂଜୁଥିବା ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି ।

Related Posts