ପୁରୀ ଏମାର ମଠ ନିକଟରେ ଯୁବ ସେବାୟତଙ୍କୁ ଗୁଳିକରି ହତ୍ୟା ଘଟଣା: ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ଘଟିଥିବା ପୁରୀ ଏସପି କନୱର ବିଶାଳ ସିଂ ଙ୍କ ସୂଚନା

ପୁରୀ: ଗତକାଲି ରକ୍ତରଞ୍ଜିତ ହୋଇଥିଲା ଶ୍ରୀକ୍ଷେତ୍ର ପୁରୀ | ପୁରୀ ଏମାର ମଠ ନିକଟରେ ଫୁଟିଥିଲା ଗୁଳି | ଜଣେ ଯୁବ ସେବାୟତଙ୍କ ମୃତ୍ୟୁ ଘଟିଥିଲା | ତେବେ ଏହି ଘଟଣାରେ ପୋଲିସ କିଛି ସମୟ ମଧ୍ୟରେ ମୁଖ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ, ଘଟଣା ଉପରୁ ପରଦା ଉଠାଇଛି |

ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକ ସହ ଆଉ ୨ଜଣକୁ ଅଟକ ରଖିଛି ପୋଲିସ। ଏତଲାରେ ୩ ଜଣଙ୍କ ନାଁ ରହିଛି। ତେବେ ପାରିବାରିକ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଅଭିଯୁକ୍ତ ଚନ୍ଦନ ବନ୍ଧୁକ କେଉଁଠୁ ଆଣିଥିଲା ତାର ତଦନ୍ତ ଚାଲିଛି। ଏନେଇ ୫ଜଣିଆ ଟିମ ଗଠନ ହୋଇଥିବା ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ପୁରୀ ଏମାର ମଠ ନିକଟରେ ସେବାୟତଙ୍କୁ ଗୁଳିମାଡ ହୋଇଥିଲା। ଗୁଳିମାଡ଼ରେ ତଳୁଛ ସାହିର ସେବାୟତ ଶିବରାମ ପାତ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ସିଂହଦ୍ଵାର, ଟାଉନ୍ ଥାନା ପୋଲିସ ସହ ଏସପି କନୱର ବିଶାଳ ସିଂ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶିବରାମ ବାଇକ ଯୋଗେ ଘରୁ ଆସୁଥିବା ସମୟରେ ଦୁର୍ବୁତ୍ତ ମାନେ ଏମାର ମଠ ନିକଟରେ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।‌ ଘଟଣାସ୍ଥଳରେ ହିଁ ଶିବାରାମ ଟଳି ପଡ଼ିଥିଲେ। ସେଠାରେ ତାଙ୍କର ବାଇକ ଓ ମୋବାଇଲ ବ୍ଲୁ ଟୁଥ୍ ପଡିଥିଲା। ଗୁଳି ମାଡ କରିଥିବା ଅଭିଯୁକ୍ତ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଅଟକ ରଖିଥିବା ବେଳେ ତା ଠାରୁ ଗୋଟିଏ ବନ୍ଧୁକ ମଙ୍ଗଳବାର ରାତିରେ ହିଁ ଜବତ ହୋଇଥିଲା।

Related Posts