
ସତ୍ୟପାଠ, ୨୭/୦୪: ବଡଦେଉଳ ବିପଦମୁକ୍ତ ଓ ସୁରକ୍ଷିତ ବୋଲି ଗଜପତି ମହାରାଜାଙ୍କ ଅଭୟ ଉକ୍ତି ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ରେ ସରକାରଙ୍କୁ ବଂଚେଇବାରେ ବିଶେଷ ସହାୟତା କଲାଭଳି ଲାଗୁନାହିଁ। କାରଣ ଗଜପତିଙ୍କ ବୟାନ ର ୨୪ ଘଣ୍ଟା ପୁରୁ ପୁରୁ ନୂଆ ତଥ୍ଯ ସାମନାକୁ ଆସିଛି। ସେପଟେ ବଡଦେଉଳ ଚତୁଃପାର୍ଶ୍ଵରେ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଯେଉଁଭଳି ମନଇଛା ଖନନ ଓ ନିର୍ମାଣ କାମ ଚାଲିଛି, ତାହା ବେଆଇନ୍ ଓ ଶ୍ରୀମନ୍ଦିର ପ୍ରତି ବିପଦ ବୋଲି ଅଭିଯୋଗ କରି ରାଜ୍ୟବ୍ୟାପୀ ଅସନ୍ତୋଷ ଓ ଆନ୍ଦୋଳନ ବି ମୁଣ୍ଡ ଟେକିଲାଣି। ଏଭଳି ସ୍ଥିତିରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଯେଉଁ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ତମ୍ବିତୋଫାନ ଚାଲିଛି। ଏବଂ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଚାଲିଛି ଯେ ସମସ୍ତ ନିର୍ମାଣକାର୍ଯ୍ୟ ଆଇନ ଅନୁଯାୟୀ ପ୍ରତ୍ନତତ୍ତ୍ଵ ବିଭାଗ ର ସ୍ଵୀକୃତି ମୁତାବକ କରାଯାଉଛି। ମାତ୍ର ଏଥିରେ ସତ୍ୟତା ଯେ ନାହିଁ ତାର ପ୍ରମାଣ ହେଉଛି ସୁଚନା ଅଧିକାର ଆଇନ ଅନୁଯାୟୀ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ପ୍ରଦତ୍ତ ଉତ୍ତର।
ରାଜ୍ୟ ସରକାର ଖନନ ଓ ନିର୍ମାଣ କାର୍ଯ୍ୟ ବିନା ଡିଜାଇନ୍, ହେରିଟେଜ ଇମ୍ପାକ୍ଟ୍ ଆସେଶମେଣ୍ଟ ସର୍ଭେ, ବିନା ଡ୍ରାଫ୍ଟ ପ୍ରପୋଜାଲ୍ ରେ ହିଁ ଚଲେଇଛନ୍ତି। କାରଣ ନୂଆ ତଥ୍ଯ କହୁଛି କି, ପ୍ରକଳ୍ପର ପ୍ରସ୍ତାବ ଗତ ଏପ୍ରିଲ ୬ ତାରିଖରେ ଅର୍ଥାତ୍ ୨୧ ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ନତତ୍ତ୍ଵ ବିଭାଗକୁ ପଠାଯାଇଛି। ୩ ମାସ ତଲୁ କାମ ଆରମ୍ଭ କଲେଣି କିନ୍ତୁ ପ୍ରସ୍ତାବ ପଠାଯାଇଛି ୨୧ ଦିନ ତଳେ। ଅର୍ଥାତ୍ ବିନା ଅନୁମତି ଏବଂ ଯୋଜନାରେ କାମ ଚଲେଇଥିଲେ ରାଜ୍ୟସରକାର। ନୂଆକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଯୋଗଦେବା ପରେ ବୀର ବିକ୍ରମ ଯାଦବ ଏହି ଚିଠି ପ୍ରତ୍ନତତ୍ତ୍ଵ ବିଭାଗକୁ ଲେଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିବର୍ତ୍ତିତ ପ୍ରସ୍ତାବ ଉପରେ ଅନୁମତି ମାଗିଛନ୍ତି। ସେପଟେ ଗତ ଏପ୍ରିଲ ୨୫ ତାରିଖ ସୁଦ୍ଧା ପ୍ରତ୍ନତତ୍ତ୍ବ ବିଭାଗ ବି କୌଣସି ପ୍ରକଳ୍ପ ପାଇଁ ଅନୁମତି ଦେଇନଥିବା କହିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ତଥ୍ୟ ଏବେ ରାଜ୍ୟର ତମାମ ଚହଳ ପକେଇଛି।
ସୂଚନା ଅଧିକାର କର୍ମୀ କ୍ଷୀତିଶ ସିଂହ ସୂଚନା ଅଧିକାର ବଳରେ ଏହା ଉପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ସବିଶେଷ ତଥ୍ୟ ମାଗିଥିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଏପ୍ରିଲ ୬ ତାରିଖରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ଵର ମଣ୍ଡଳ କାର୍ଯ୍ୟାଳୟକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଏକ ଚିଠି କରାଯାଇଥିଲା ଯେଉଁ ଚିଠି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦ ପ୍ରସ୍ତାବ(ପ୍ରପୋଜାଲ୍) ଦାଖଲ କରିଛନ୍ତି। ନୂଆ ମୁଖ୍ୟ ପ୍ରଶାସକ ଗତ ୬ ତାରିଖରେ ଯେଉଁ ଚିଠି ଲେଖିଥିଲେ ତା ଉପରେ ପ୍ରତ୍ନତତ୍ତ୍ବ ବିଭାଗ ଏ ଯାଏଁ କୌଣସି ଅନୁମତି ଦେଇନାହିଁ। ଆର୍ ଟି ଆଇ ତଥ୍ଯ ଏବେ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ଓବିସିସି, ପୂର୍ତ୍ ବିଭାଗ ଓ ଆଇନ ବିଭାଗ ର ମିଛକୁ ଧରା ପକାଇଦେଇଛି ।
RTI ରେ ସ୍ପଷ୍ଟ ଭାବରେ ପଚରା ଯାଇଥିଲା, ନିର୍ମାଣର କାମ କରିବା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଚିଠି କରାଯାଇଛି କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନର ଏକ ଚିଠିକୁ ସଂଲଗ୍ନ କରି କହିଛି ଯେ ଗତ ଏପ୍ରିଲ ୬ ତାରିଖ ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିକ୍ରମା ଯୋଜନା ବାବଦ ଏକ ପ୍ରସ୍ତାବ ଦାଖଲ କରାଯାଇଛି।